ନୂଆଦିଲ୍ଲୀ (ଆମ ଟିଭି): ଶୀତୠତୁ ସହ ବଢିଚାଲିଛି ବାୟୁ ପ୍ରଦୂଷଣ । ଏକପ୍ରକାର ଅଣନିଶ୍ୱାସୀ ଦିଲ୍ଲୀବାସୀ । ବାୟୁ ଚଳାଚଳର ବେଗ କମିବା ସହ ତାପମାତ୍ରାରେ ହ୍ରାସ ଯୋଗୁଁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଆଜି ସାଂଘାତିକ ସ୍ତରରେ ପହଞ୍ଚିଛି। ରବିବାର ଦିଲ୍ଲୀର ୫ଟି ଅଞ୍ଚଳରେ ଅଣନିଃଶ୍ବାସୀ ଅବସ୍ଥା ଦେଖିବାକୁ ମିଳିଛି। ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୦୦ ଟପିଯାଇଥିବା ଦେଖିବାକୁ ମିଳିଛି। ‘ସଫର’ ପୂର୍ବାନୁମାନ କରିଛି ଯେ ଆଗାମୀ ୩ ଧରି ଲୋକେ ସାଂଘାତିକ ପ୍ରଦୂଷଣକୁ ସାମ୍ନା କରିବେ। ବାୟୁର ବେଗ ବଢ଼ିଲେ ହିଁ ସ୍ଥିତିରେ ସୁଧାର ଆସିବ ବୋଲି କୁହାଯାଇଛି।
ପବନରେ ପ୍ରଦୂଷଣକାରୀ ଧୂଳିକଣା ପିଏମ୍ ୧୦ ସ୍ତର ୩୨୫ ମାଇକ୍ରୋଗ୍ରାମ ପ୍ରତି ଘନ ମିଟର ରହିଥିଲା। ଅନ୍ୟପକ୍ଷରେ ପିଏମ୍ ୨.୫ ସ୍ତର ପ୍ରତି ଘନ ମିଟରରେ ୧୭୯ ମାଇକ୍ରୋଗ୍ରାମ ରହିଥିଲା। ନିର୍ଦ୍ଧାରିତ ମାନ ଅନୁଯାୟୀ ବାୟୁରେ ପିଏମ୍ ୧୦ ସ୍ତର ୧୦୦ରୁ କମ୍ ଏବଂ ପିଏମ୍ ୨.୫ର ସ୍ତର ୬୦ରୁ କମ୍ ରହିବା ଉଚିତ। ଏହି ହିସାବରେ ଦେଖାଗଲେ ଦିଲ୍ଲୀର ବାୟୁରେ ୩ ଗୁଣରୁ ଅଧିକ ପ୍ରଦୂଷଣକାରୀ ଧୂଳିକଣା ମହଜୁଦ ରହୁଛି। ଯଦି ସ୍ଥିତି ଆହୁରି ସାଂଘାତିକ ହୁଏ ତା’ହେଲେ ପୂର୍ବଭଳି କେତେକ କଠୋର କଟକଣା ଲାଗୁ ହେବ ବୋଲି ଜଣାପଡ଼ିଛି।