କେନ୍ଦ୍ରାପଡ଼ା (ଆମ ଟିଭି): ୧୦ ଦିନ ବନ୍ଦ ରହିବ ଭିତରକନିକା । ଜାନୁଆରୀ ୪ରୁ ୧୪ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । ଭିତରକନିକା ଜାତୀୟ ଉଦ୍ୟାନ ଓ ଜାତୀୟ ଉଦ୍ୟାନ ବାହାରେ ଥିବା ନଦୀନାଳଗୁଡିକରେ କୁମ୍ଭୀର ଗଣନା ଆରମ୍ଭ ହେବ । ଏଥିନିମନ୍ତେ ପର୍ୟ୍ୟଟକଙ୍କ ନିମନ୍ତେ ୧୧ ଦିନ ପାଇଁ ଭିତରକନିକା ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ।
ବିରଳ ବଉଳା କୁମ୍ଭୀରମାନଙ୍କର ଏନ୍ତୁଡିଶାଳ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀରମାନଙ୍କୁ ପାଖରୁ ଦେଖିବା ସହ ଏଠାକାର ପ୍ରାକୃତିକ ସୌନ୍ଦର୍ୟ୍ୟର ମଜା ଉଠାଇବା ପାଇଁ ପ୍ରତିବର୍ଷ ଦେଶ ଓ ବିଦେଶରୁ ଲକ୍ଷାଧିକ ପର୍ୟ୍ୟଟକଙ୍କ ଭିତର କନିକାକୁ ଛୁଟି ଆସିଥାନ୍ତି। ତେବେ ଆସନ୍ତ ୪ ତାରିଖରୁ କୁମ୍ଭୀର ଗଣନା ଆରମ୍ଭ ହେଉଥିବାରୁ ୧୧ ଦିନ ପାଇଁ ଏହି ଉଦ୍ୟାନକୁ ବନ୍ଦ ରଖାଯିବ । କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ । ଦିନ ଓ ରାତ୍ରି ସମୟରେ କୁମ୍ଭୀର ଗଣନା ଅନୁଷ୍ଠିତ ହେବା ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।