ଲାଞ୍ଚ ନେଇ ଧରାପଡ଼ିଲେ ଚାକିରିରୁ ବହିଷ୍କାର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ, ରାଜସ୍ୱ ସଚିବଙ୍କ ଚେତାବନୀ
ଲାଞ୍ଚ ନେଇ ଧରାପଡ଼ିଲେ ଚାକିରିରୁ ବହିଷ୍କାର ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ । ରାଜସ୍ୱ ସଚିବଙ୍କ କଡ଼ା ଚେତାବନୀ । ପ୍ରୋବେସନରେ ଥିବା ORS ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିବା ଘଟଣାରେ ମର୍ମାହତ ଡ. ଅରବିନ୍ଦ ପାଢ଼ୀ । ବିଭାଗର ସମସ୍ତ କର୍ମଚାରୀଙ୍କୁ ଚିଠି ଲେଖି ସଚ୍ଚୋଟତା ଓ ନୈତିକତାର ପାଠ ପଢ଼ାଇଲେ । ଦୁର୍ନୀତି କଲେ ନିସ୍ତାର ନାହିଁ। ଲାଞ୍ଚ ନେଇ ଦୋଷୀ ସାବ୍ୟସ୍ତ ହେଲେ ଚାକିରିରୁ ବହିଷ୍କାର ପର୍ଯ୍ୟନ୍ତ ହୋଇପାରେ କାର୍ଯ୍ୟାନୁଷ୍ଠାନ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଏଭଳି କଡ଼ା ବାର୍ତ୍ତା ଦେଇଛନ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ। ଜଣେ ଯୁବ ଓଡ଼ିଶା ରାଜସ୍ୱ ସେବା ବା ORS ଅଧିକାରୀ ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ବିଭାଗର ସମସ୍ତ ସହକର୍ମୀଙ୍କ ଉଦ୍ଦେଶ୍ୟରେ ସେ ଏକ ଚିଠି ଲେଖିଛନ୍ତି।
ଚିଠିରେ ଡ. ପାଢ଼ୀ ଉଲ୍ଲେଖ କରିଛନ୍ତି, କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟରେ ସାଧୁତା ଓ ସଚ୍ଚୋଟତାର ଶପଥ ପାଠ କରାଯାଇଥିଲା। ଦୁର୍ନୀତି ନ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ। କିନ୍ତୁ ଏହାର କିଛି ଦିନ ମଧ୍ୟରେ ପ୍ରଶିକ୍ଷଣ କାଳରେ ଥିବା ଜଣେ ଯୁବ ORS ଅଧିକାରୀ ଲାଞ୍ଚ ନେବା ଅଭିଯୋଗରେ ଧରାପଡ଼ିବା ଘଟଣା ତାଙ୍କୁ ଗଭୀର ଭାବେ ମର୍ମାହତ ଓ ବ୍ୟଥିତ କରିଛି।
ସରକାରୀ ସେବାରେ ନୈତିକତା ଓ ସଚ୍ଚୋଟତା ଉପରେ ବାରମ୍ବାର ଗୁରୁତ୍ୱ ଦିଆଯିବା ସତ୍ତ୍ୱେ ଏଭଳି ଘଟଣା ଘଟିବା ଲଜ୍ଜାଜନକ ଓ ନିନ୍ଦନୀୟ ବୋଲି ସେ କହିଛନ୍ତି। ସରକାରୀ ଚାକିରି କେବଳ ଜୀବିକା ନିର୍ବାହର ମାଧ୍ୟମ ନୁହେଁ, ବରଂ ଜନସାଧାରଣଙ୍କ ସେବା କରିବାର ଏକ ସୁଯୋଗ। ଏହି କଥାକୁ ନିଜ ଚିଠିରେ ବିଶେଷ ଗୁରୁତ୍ୱ ଦେଇଛନ୍ତି ରାଜସ୍ୱ ସଚିବ।
ଜଣେ ଅଧିକାରୀଙ୍କ ଦୁର୍ନୀତି କେବଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ କଳଙ୍କିତ କରେ ନାହିଁ, ସମଗ୍ର ବିଭାଗର ମର୍ଯ୍ୟାଦାକୁ ମଧ୍ୟ କ୍ଷୁଣ୍ଣ କରିଥାଏ। ଏହାଦ୍ୱାରା ପ୍ରଶାସନ ଓ ସରକାରୀ ବ୍ୟବସ୍ଥା ଉପରୁ ସାଧାରଣ ଲୋକଙ୍କ ବିଶ୍ୱାସ ତୁଟିଯାଏ ବୋଲି ସେ ଉଲ୍ଲେଖ କରିଛନ୍ତି। ଦୁର୍ନୀତି ପ୍ରତି ବିଭାଗର ଶୂନ୍ୟ ସହନଶୀଳତା ନୀତି ରହିଛି ବୋଲି ସ୍ପଷ୍ଟ କରିଛନ୍ତି ଡ. ପାଢ଼ୀ। ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ହେଉଥିବା ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ ଆଇନ ଓ ସେବା ନିୟମ ଅନୁଯାୟୀ କଠୋର ପଦକ୍ଷେପ ନିଆଯାଇଛି ଏବଂ ଆଗକୁ ମଧ୍ୟ ନିଆଯିବ। ଆବଶ୍ୟକ ସ୍ଥଳେ ଚାକିରିରୁ ବହିଷ୍କାର ଭଳି କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।