ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ପରେ ସିସୋଦିଆ ଦାଖଲ କରିଥିବା ଜାମିନ ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଜରିଆରେ ସିସୋଦିଆ ବିରୋଧରେ ଚାଲିଥିବା ମାମଲାଗୁଡ଼ିକ ଉପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଏସ୍.ଭି.ଏନ୍ ଭଟ୍ଟଙ୍କ ଖଣ୍ଡପୀଠ ଏହାର ରାୟ ଦେଇଛନ୍ତି।
ଦିଲ୍ଲୀ ଏକ୍ସାଇଜ୍ ପଲିସି ଏବଂ ସିସୋଦିଆ ବିରୋଧରେ ମାମଲା ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବରୁ ସିବିଆଇ ଏବଂ ଇଡିଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ମଦ ଦୁର୍ନୀତିରେ ସିସୋଦିଆ ଫେବୃଆରୀରୁ ଜେଲରେ ଅଛନ୍ତି। ଏହାପୂର୍ବରୁ, ସିସୋଦିଆଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ। ତାଙ୍କ ବିରୋଧରେ ଦୁଇଟି ପୃଥକ ମାମଲାରେ ସିସୋଦିଆ ଜାମିନ ମାଗିଛନ୍ତି। ଏଥିମଧ୍ୟରୁ ଗୋଟିଏ ମାମଲା ସିବିଆଇ ଏବଂ ଅନ୍ୟଟି ଇଡି ଦ୍ୱାରା ଦାଖଲ କରାଯାଇଛି।