ସମ୍ବଲପୁର: ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ହୀରାକୁଦ ଡ୍ୟାମ୍ର ଆଉ ୧୦ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ପୂର୍ବରୁ ୨ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଥିବା ବେଳେ, ଏବେ ମୋଟ ୧୨ଟି ଗେଟ୍ ଦେଇ ବନ୍ୟାଜଳ ମହାନଦୀକୁ ଛଡ଼ାଯାଉଛି।
ଜଳଭଣ୍ଡାରରେ ଜଳସ୍ତର ନିରନ୍ତର ବଢ଼ୁଥିବାରୁ ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି। ଗୋଟିଏ ପରେ ଗୋଟିଏ ଗେଟ୍ ଖୋଲାଯିବା ସହ ମହାନଦୀର ଜଳସ୍ତର ମଧ୍ୟ ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି।
ଏକାସାଙ୍ଗରେ ୧୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବାରୁ ମହାନଦୀ ଉପକୂଳବର୍ତ୍ତୀ ଏବଂ ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବା ନିଶ୍ଚିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସତର୍କ କରାଯାଇଛି।
ନଦୀ ଭିତରକୁ ନ ଯିବା, ଗୋରୁଗାଈଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ଏବଂ ପ୍ରଶାସନିକ ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି। ସ୍ଥିତି ଉପରେ ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଏବଂ ଜଳସମ୍ପଦ ବିଭାଗ କଡ଼ା ନଜର ରଖିଛନ୍ତି।