ବନ୍ଦେ ମାତରମ୍’କୁ ଅବମାନନା ଅଭିଯୋଗ ; ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ କହିଲେ ଅମିତ ଶାହ

0

ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ କଂଗ୍ରେସ ମୁଖ୍ୟାଳୟରେ ଜାତୀୟ ସଂଗୀତ ‘ବନ୍ଦେ ମାତରମ୍’ ଗାନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ତୀବ୍ର ରୂପ ନେଇଛି। ଜାତୀୟ ସଂଗୀତ ଗାନକୁ ମଝିରୁ ବନ୍ଦ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଉପରେ ବର୍ଷିଛନ୍ତି । ରବିବାର ଚିତ୍ତୋଡ଼ଗଡ଼ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଶାହ କହିଛନ୍ତି ଯେ, ସୋନିଆ ଗାନ୍ଧୀ ଏହି ଘଟଣା ପାଇଁ ସମଗ୍ର ଦେଶବାସୀ ଏବଂ ସଂଗୀତର ରଚୟିତା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ନିକଟରେ ହାତ ଯୋଡ଼ି କ୍ଷମାପ୍ରାର୍ଥନା କରିବା ଉଚିତ୍ । କଂଗ୍ରେସ କେବଳ ଭୋଟ-ବ୍ୟାଙ୍କ ରାଜନୀତି ପାଇଁ ସ୍ବାଧୀନତା ସଂଗ୍ରାମର ମନ୍ତ୍ର ସାଜିଥିବା ଏହି ଗୌରବମୟ ସଂଗୀତକୁ ଅପମାନିତ କରିଛି ବୋଲି ଶାହ ଅଭିଯୋଗ କରିଛନ୍ତି ।

ଅନ୍ୟପକ୍ଷରେ, ବଙ୍କିମଚନ୍ଦ୍ରଙ୍କ ପ୍ରତ୍ୟକ୍ଷ ବଂଶଧର ତଥା ନୈହାଟିର ବିଜେପି ବିଧାୟକ ସୁମିତ୍ର ଚାଟାର୍ଜୀ ମଧ୍ୟ ଏହି ଘଟଣାରେ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି । ସେ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ବିନା ସର୍ତ୍ତରେ କ୍ଷମାପ୍ରାର୍ଥନା କରିବାକୁ ଦାବି କରିଛନ୍ତି। ସୁମିତ୍ର କହିଛନ୍ତି ଯେ, କଂଗ୍ରେସ ମୁଖ୍ୟାଳୟରେ ଜାତୀୟ ସଂଗୀତ ଚାଲିଥିବା ବେଳେ ତାକୁ ଅଟକାଇବାକୁ ଚେଷ୍ଟା କରିବା ୧୯୩୭ ମସିହାର ଐତିହାସିକ ଭୁଲର ପୁନରାବୃତ୍ତି ଏବଂ ଦେଶଭକ୍ତଙ୍କ ପ୍ରତି ଏକ ଚରମ ଅପମାନ। ଏହି ଘଟଣାକୁ ନେଇ ବିଜେପି ପକ୍ଷରୁ କଂଗ୍ରେସ ନେତୃତ୍ୱକୁ କଡ଼ା ସମାଲୋଚନା କରାଯାଇଛି ।

ସୂଚନାଯୋଗ୍ୟ ଯେ, ସ୍ୱାଧୀନତା ଦିବସ ସମାରୋହର ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ବନ୍ଦେ ମାତରମ୍ ଗାନ ବନ୍ଦ କରିବାକୁ ଇଶାରା କରୁଥିବା ଦେଖାଯାଇଛି । ତେବେ କଂଗ୍ରେସ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛି। ଦଳ ପକ୍ଷରୁ ସଫେଇ ଦିଆଯାଇଛି ଯେ, ସେଠାରେ ସଂଗୀତ ବନ୍ଦ କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ସଭାପତି ମଲ୍ଲିକାର୍ଜୁନ ଖଡଗେ ଅଧିକ ସମୟ ଛିଡ଼ା ହୋଇଥିବାରୁ ତାଙ୍କ ପାଇଁ କେବଳ ଗୋଟିଏ ଚୌକି ମଗାଯାଉଥିଲା । କଂଗ୍ରେସର ଏହି ଯୁକ୍ତିକୁ ବିଜେପି ଗ୍ରହଣ କରିନଥିବା ବେଳେ ଏହି ବିଷୟଟି ଏବେ ଏକ ପ୍ରମୁଖ ରାଜନୈତିକ ବିବାଦର ରୂପ ନେଇଛି ।

Leave A Reply

Your email address will not be published.