ବର୍ଷାଦିନେ ଖାଆନ୍ତୁ ନାହିଁ ଏହି ସବୁ ଖାଦ୍ୟ, ନଚେତ୍ ଭୋଗିବେ ନାନା ସମସ୍ୟା
ଶରୀରକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଖାଇବା ଏବଂ ପିଇବା ଦ୍ୱାରା ଆମେ ଶକ୍ତି ଏବଂ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ପାଇଥାଉ । ତେଣୁ ଋତୁ ବଦଳିବା ସହିତ ଖାଦ୍ୟାଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆଣିବା ଜରୁରୀ ।
ଏବେ ଚାଲିଛି ବର୍ଷା ଋତୁ । ପ୍ରଚଣ୍ଡ ଗରମ ପରେ ବର୍ଷା ସମସ୍ତଙ୍କୁ ଆଶ୍ୱସ୍ତ କରିଥାଏ । ଥଣ୍ଡା ପାଗ ସହ ଚା, ପକୁଡ଼ି, କଚୁଡ଼ି, ସିଙ୍ଗଡ଼ା ଭଳି ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ମନ ହୋଇଥାଏ । କିନ୍ତୁ ଏହି ସମୟରେ ଅତ୍ୟଧିକ ତେଲିଆ ଓ ଅସ୍ୱଚ୍ଛ ପରିବେଶରେ ପ୍ରସ୍ତୁତ ଖାଦ୍ୟ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଆମ ଖରାପ ଖାଦ୍ୟଶୈଳୀ ପାଇଁ ଏହି ସମୟରେ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ବର୍ଷା ଋତୁରେ ଆମର ପାଚନ ଶକ୍ତି ବହୁତ ଦୁର୍ବଳ ହୋଇଯିବା ସହ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ କମି ଯାଇଥାଏ । ଆମେ ଏମିତି କିଛି ଖାଦ୍ୟକୁ ସେବନ କରିବା ଯାହା ଆମ ଶରୀର ପାଇଁ ସ୍ବାସ୍ଥ୍ୟକର ବ୍ୟାକ୍ଟେରିଆର ମାତ୍ରାକୁ ବଢାଇବା ସହିତ ଖରାପ ବ୍ୟାକ୍ଟେରିଆ ମାନଙ୍କ ସହିତ ଲଢିବାରେ ସାହାଯ୍ୟ କରିବ । ତେଣୁ ଏହି ସମୟରେ ଖାଦ୍ୟପେୟ ପ୍ରତି ସଚେତନ ରହିବା ନିହାତି ଜରୁରୀ । ତେବେ ବର୍ଷାଦିନେ କେଉଁ ସବୁ ଖାଦ୍ୟ ଖାଇବା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ ନୁହେଁ ଆସନ୍ତୁ ସେ ସମ୍ପର୍କରେ ଜାଣିବା ।
ବର୍ଷା ଦିନିଆ ବନ୍ଧା କୋବି ଆଦୌ ଖାଆନ୍ତୁ ନାହିଁ । ବନ୍ଧା କୋବିର ପତ୍ରରେ ବହୁତ କୁନି କୁନି ପୋକ ସବୁ ଲାଗି କରି ରହିଥାନ୍ତି । ଯାହା ପେଟକୁ ଯିବା ଦ୍ବାରା ଖାଦ୍ୟକୁ ବିଷାକ୍ତ କରିଦେଇଥାଆନ୍ତି । ଏଥିସହ ବର୍ଷା ଦିନେ ଖଟା କିମ୍ବା ଆଚାର ଖାଇବା ଆଦୌ ଦେହ ପକ୍ଷେ ସୁସ୍ଥକର ନୁହେଁ । ଏସବୁ ଖାଦ୍ୟଠାରୁ ନିଜକୁ ଦୂରେଇ ରଖିବା ସବୁଠାରୁ ଭଲ ହୋଇଥାଏ । କୌଣସି ବି ପରିବା କିମ୍ବା ଫଳ କାଟିକି ରଖି ପରବର୍ତ୍ତୀ ମୁହୂର୍ତ୍ତରେ ଖାଆନ୍ତୁ ନାହିଁ । କଟା ଫଳ କିମ୍ବା ପରିବା ବର୍ଷା ଦିନେ କିଛି କ୍ଷଣ ବାହାରେ ରହିବା ପରେ ବିଷାକ୍ତ ହୋଇଯାଇଥାଏ । ସେଥିପାଇଁ ଏଭଳି ଭାବେ ଫଳ ଆଦୌ ଖାଆନ୍ତୁ ନାହିଁ ।
ଏହା ବ୍ୟତୀତ ବର୍ଷା ଦିନରେ ରାସ୍ତା କଡ଼ିଆ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ । ବିଶେଷ କରି ରାସ୍ତା କଡ଼ରେ ମିଳୁଥିବା ଦୋକାନମାନଙ୍କରେ ତେଲଭାଜି ଖାଇବା ଦ୍ୱାରା ଶରୀର ଅସୁସ୍ଥ ହେବାର ବହୁ ସମ୍ଭାବନା ରହିଛି । ଯେମିତିକି ବର୍ଷାଦିନେ ସିଙ୍ଗଡା, ପକୁଡି, ବରା ଭଳି ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଏହା ପାଟିକୁ ସ୍ବାଦିଷ୍ଟ କରିଥାଏ ସତ କିନ୍ତୁ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ମକା ଦେହ ପାଇଁ ଭଲ ବୋଲି ଆପଣ ନିଶ୍ଚୟ ଭାବୁଥିବେ । ହେଲେ ଏହା ପରବର୍ତ୍ତୀ ସମୟରେ ବିପଦଜନକ ସମସ୍ୟା ସୃଷ୍ଟି କରିଥାଏ । ଯଦି ଆପଣ ଏହି ଋତୁରେ ଏପରି କିଛି ଖାଦ୍ୟ ଖାଉଛନ୍ତି, ତେବେ ଏଥିରୁ ଦୂରେଇ ରଖନ୍ତୁ ନଚେତ୍ ଭୋଗିବେ ଅନେକ ସ୍ବାସ୍ଥ୍ୟ ସମସ୍ୟା । ଯଦି ମାଂସ କିମ୍ବା ସାମୁଦ୍ରିକ ଖାଦ୍ୟ ଭଲ ଭାବରେ ରନ୍ଧା ନହୁଏ, ତେବେ ଏଥିରେ ଥିବା କ୍ଷତିକାରକ ଅଣୁଜୀବ ଖାଦ୍ୟ ବିଷାକ୍ତକରଣର କାରଣ ହୋଇପାରେ । ବର୍ଷା ଋତୁରେ ଏହି ଖାଦ୍ୟ ପ୍ରତି ବିଶେଷ ସତର୍କତା ଆବଶ୍ୟକ । ବର୍ଷା ଋତୁରେ ସ୍ୱାଦଠାରୁ ଅଧିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଅନ୍ତୁ । ଯାହା ଦ୍ବାରା ନାନା ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ ।