ଭୁବନେଶ୍ଵର (ଆମ ଟିଭି): ଚଳଚ୍ଚିତ୍ର ପତ୍ରିକା ‘ଚଳଚ୍ଚିତ୍ର ଜଗତ’ର ୪୯ତମ ତମ ବାର୍ଷିକ ଉତ୍ସବ ୨୦୨୫ ଜାନୁୟାରୀ ୨୩ ତାରିଖ ଗୁରୁବାର ନେତାଜୀ ଜୟନ୍ତୀ ଅବସରରେ ଅପରାହ୍ଣ ୫ଟାରେ ଭୁବନେଶ୍ଵର ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେବ। ଏହି ଅବସରରେ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିପ୍ରାପ୍ତ ଓଡ଼ିଆ ଚଳଚ୍ଚିତ୍ରଗୁଡ଼ିକରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠ ବିବେଚିତ ୨୫ ଜଣ କଳାକାର ଓ ଟେକ୍ନିସିଆନ୍, ଦୂରଦର୍ଶନରେ ପ୍ରସାରିତ କାର୍ଯ୍ୟକ୍ରମରୁ ୫ଟି ବିଭାଗରେ ୫ଜଣଙ୍କୁ ‘ଚଳଚ୍ଚିତ୍ର ଜଗତ ପ୍ରତିଭା ସମ୍ମାନ-୨୦୨୪ ପ୍ରଦାନ କରାଯିବ ।
ଏହାସହ ଚିକିତ୍ସା, ଶିକ୍ଷା, ବିଜ୍ଞାନ, ଶିଳ୍ପ, ସାହିତ୍ୟ, କୃଷି, ନୃତ୍ୟ, ବୈଷୟିକ ଜ୍ଞାନ କୌଶଳ, କଳା ସ୍ଥାପତ୍ୟ ପ୍ରଭୃତି ବିଭିନ୍ନ ବର୍ଗରୁ ସମାଜର ୧୦ ଜଣ ପ୍ରତିଷ୍ଠିତ ପ୍ରତିଭାଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯିବ। ଜଗତର ୪ ବିଶିଷ୍ଟ ପ୍ରତିଭାଙ୍କୁ ସ୍ବତନ୍ତ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ନିତାଇ ପାଲିତ ସମ୍ମାନରେ ଏ ବର୍ଷ ବରିଷ୍ଠ ଅଭିନେତ୍ରୀ ସୌଦାମିନୀ ମିଶ୍ରଙ୍କୁ, ଭୀମ ସିଂ ସ୍ମାରକୀ ସମ୍ମାନରେ ପ୍ରଯୋଜକ ଓ ଅଭିନେତା ପ୍ରେମାଞ୍ଜନ ପରିଡ଼ାଙ୍କୁ, ସତ୍ୟନାରାୟଣ ଅଗ୍ରୱାଲ୍ ସ୍ମାରକୀ ସମ୍ମାନରେ ସଙ୍ଗୀତକାର ଦିବାକର ମହାନ୍ତିଙ୍କୁ ଏବଂ ଚଳିତବର୍ଷ ପ୍ରଥମ କରି ପ୍ରଚଳିତ ହେଉଥିବା ମିହିର ଦାସ ସ୍ମାରକୀ ସମ୍ମାନରେ ବରିଷ୍ଠ ଅଭିନେତା ପୃଥ୍ବୀରାଜ ନାୟକଙ୍କୁ ସମ୍ମାନିତ କରାଯିବ। ପୁରସ୍କାର ସ୍ବରୂପ ପ୍ରତ୍ୟେକଙ୍କୁ ମାନପତ୍ର, ଅଙ୍ଗବସ୍ତ୍ର ଓ ସୁଦୃଶ୍ୟ ଟ୍ରଫି ସହ ୧୦ ହଜାର ଟଙ୍କା ପ୍ରଦାନ କରାଯିବ।
ଏତଦ୍ ବ୍ୟତୀତ ମହାରାଜା ପିକ୍ଚର୍ ପ୍ୟାଲେସ୍ର ପ୍ରତିଷ୍ଠାତା ଆଶୁତୋଷ ମହାପାତ୍ରଙ୍କ ନାମରେ ନାମିତ ପ୍ରେକ୍ଷାଳୟ ସମ୍ମାନ ଏ ବର୍ଷ ରାଧାକୃଷ୍ଣ ସିନେମାକ୍ସ, ନୟାଗଡ଼ ପାଇବେ ବୋଲି ପତ୍ରିକାର ସମ୍ପାଦକ ଆଦିକନ୍ଦ ରାଉତ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।