ମୋ ଅସୁବିଧାରେ ଛିଡ଼ା ହୋଇଥିଲେ ଦିଦି …ଏବେ ତାଙ୍କ ହାତକୁ ମୁଁ ଛାଡ଼ିବିନି…ବିପଦ ବେଳର ବନ୍ଧୁ ସାଜିଲେ ଶତ୍ରୁଘ୍ନ
ତୃଣମୂଳ କଂଗ୍ରେସର ଗୋଟିଏ ପରେ ଗୋଟିଏ ୱିକେଟ୍ ପଡ଼ୁଥିବା ବେଳେ ଏବଂ ଦଳ ଭିତରେ ମହା ବିଦ୍ରୋହ ଚାଲିଥିବା ବେଳେ ମମତା ବାନାର୍ଜୀଙ୍କ ପାଇଁ ଆସିଛି ଏକ ବଡ଼ ଆଶ୍ୱସ୍ତିକର ଖବର। ସାରା ବଙ୍ଗଳାରେ ଟିଏମସି ନେତାମାନେ ଦଳ ଛାଡୁଥିବା ବେଳେ ବଲିଉଡର ପ୍ରସିଦ୍ଧ ‘ଶଟଗନ୍’ ତଥା ଆସନସୋଲ ସାଂସଦ ଶତ୍ରୁଘ୍ନ ସିହ୍ନା ସବୁ ଦ୍ବନ୍ଦ୍ବ ଉପରେ ଏବେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଗୁରୁବାର ଦିନ ସେ ସ୍ପଷ୍ଟ ରୂପେ କହିଛନ୍ତି ଯେ ସେ ମମତା ବାନାର୍ଜୀଙ୍କ ସାଥ୍ କଦାପି ଛାଡ଼ିବେ ନାହିଁ।
ବିହାରୀ ବାବୁ ନିଜର ସ୍ପଷ୍ଟବାଦୀ ଶୈଳୀରେ କହିଛନ୍ତି, “ଗତ କିଛି ଦିନ ହେବ ମୋତେ ନେଇ ଅନେକ ଗୁଜବ ସୃଷ୍ଟି କରାଯାଉଛି। କୁହାଯାଉଛି ମୁଁ କୁଆଡ଼େ ବିଦ୍ରୋହୀ ଗୋଷ୍ଠୀରେ ସାମିଲ ହୋଇଛି। ମୁଁ ସ୍ୱଭାବଗତ ଭାବେ ଜଣେ ସ୍ପଷ୍ଟବାଦୀ ମଣିଷ । ଯଦି ସତ କହିବା ବିଦ୍ରୋହ ତେବେ ମୁଁ ଜଣେ ବିଦ୍ରୋହୀ । କିନ୍ତୁ ମୁଁ ସ୍ପଷ୍ଟ କରିଦେବାକୁ ଚାହେ ଯେ ମୋର ସବୁଠାରୁ ଖରାପ ସମୟରେ ମମତା ଜୀ ମୋ ସହ ଛିଡ଼ା ହୋଇଥିଲେ। ଆଜି ଯେତେବେଳେ ସେ ନିଜେ ଏକ ସମସ୍ୟାର ସମୟ ଦେଇ ଗତି କରୁଛନ୍ତି ମୁଁ ତାଙ୍କୁ ଏକା ଛାଡ଼ି ପାରିବି ନାହିଁ।” ଶତ୍ରୁଘ୍ନ ସିହ୍ନା ଆସନସୋଲ ଏବଂ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ ଦିଦିଙ୍କ ନିର୍ଦ୍ଦେଶରେ ହିଁ ସେ ପ୍ରଥମ ଥର ପାଇଁ ଆସନସୋଲ ଆସିଥିଲେ ଏବଂ ସେଠାକାର ଲୋକେ ତାଙ୍କୁ ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ କରାଇଥିଲେ । ସେ ଦଳମତ ନିର୍ବିଶେଷରେ ସମସ୍ତଙ୍କ ପାଇଁ କାମ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହା ମଧ୍ୟରେ ଶତ୍ରୁଘ୍ନ ସିହ୍ନାଙ୍କ ଆଉ ଏକ ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି। ଜଣେ ସଚ୍ଚୋଟ ସ୍ପୋର୍ଟସମ୍ୟାନସିପ୍ ମନୋଭାବ ଦେଖାଇ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ କାର୍ଯ୍ୟକାଳର ୧୨ ବର୍ଷ ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ପିଏମ ମୋଦୀଙ୍କୁ ନିଜର ବନ୍ଧୁ ତଥା ଦେଶର ମାର୍ଗଦର୍ଶକ ବୋଲି କହିବା ସହ ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।