ଶ୍ରୀଜଗନ୍ନାଥ ମନ୍ଦିରରେ ହେବ ଇ-ହୁଣ୍ଡି
ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ଭକ୍ତ ଶ୍ରୀମନ୍ଦିର ହୁଣ୍ଡିରେ ଅର୍ଥ ଦାନ କରିବାର ପରମ୍ପରା କାହିଁ କେଉଁ କାଳରୁ ରହିଆସିଛି। ତେବେ ମନ୍ଦିରକୁ ଆସିପାରୁ ନ ଥିବା ଶ୍ରଦ୍ଧାଳୁ ଭକ୍ତ ଏଥିରୁ ବଞ୍ଚିତ ହେଉଥିଲେ। ଏହି ସମସ୍ୟାର ସମାଧାନ ପାଇଁ ରାଜ୍ୟ ବାହାରେ ତଥା ବିଦେଶରେ ରହୁଥିବା ଶ୍ରଦ୍ଧାଳୁଙ୍କ ଲାଗି ଅନଲାଇନ ମାଧ୍ୟମରେ ହୁଣ୍ଡିରେ ଦାନ ଦେବା ବ୍ୟବସ୍ଥା ଆସିବ। ଏହି ବ୍ୟବସ୍ଥା ପାଇଁ ଅନେକ ଭକ୍ତ ଇଚ୍ଛା କରି ଆସୁଛନ୍ତି। ଏହିକ୍ରମରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଇ- ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ନିମନ୍ତେ ଲୋକସେବା ଭବନରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି।
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଇ- ହୁଣ୍ଡି ବ୍ୟବସ୍ଥା କାର୍ଯ୍ୟକାରୀ ନିମନ୍ତେ ଆଲୋଚନା ହୋଇଛି। ଭକ୍ତ ତଥା ଶ୍ରଦ୍ଧାଳୁ ନିଜ ଜନ୍ମଦିନ, ବିବାହ ବାର୍ଷିକୀ ତଥା ନିଜର ମନସ୍କାମନା ପୂରଣ ଖୁସିରେ କିଭଳି ଭାବେ ଅନଲାଇନ ମାଧ୍ୟମରେ ଶ୍ରୀମନ୍ଦିର ହୁଣ୍ଡିରେ ଅର୍ଥରାଶି ଦାନ କରିପାରିବେ, ସେ ବିଷୟରେ ଆଲୋଚନା କରାଯାଇଥିଲା। ଦାନ ଅର୍ଥରାଶି ପାଇଁ ଆୟକର ଛାଡ଼ ବ୍ୟବସ୍ଥା ରହିବାକୁ ଥିବା ବେଳେ ଭକ୍ତଙ୍କଠାରୁ ଦାନ ସୂତ୍ରରେ ଆସିବାକୁ ଥିବା ଅର୍ଥ କେବଳ ଶ୍ରୀମନ୍ଦିର ବିକାଶ ଦିଗରେ ଖର୍ଚ୍ଚ ହେବ। ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ରାଜ୍ୟ ତଥା ଦେଶ ବାହାରେ ରହୁଥିବା ଜଗନ୍ନାଥ ଭକ୍ତ ଶ୍ରୀମନ୍ଦିର ହୁଣ୍ଡିକୁ ସହଜରେ ଅର୍ଥରାଶି ପଠାଇ ପାରିବେ। ଏହି ବ୍ୟବସ୍ଥାରୁ ସାଇବର ଅପରାଧୀ ଯେପରି ଫାଇଦା ଉଠାଇ ନ ପାରିବେ ସେଥିଲାଗି ବିହିତ ପଦକ୍ଷେପ ନେବାକୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି। ବୈଠକରେ ଓଡ଼ିଶା ରାଜ୍ୟ ବିଧି ଆୟୋଗ ଅଧ୍ୟକ୍ଷ ଜଷ୍ଟିସ ବିଶ୍ବନାଥ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଆଇନ ବିଭାଗ ପ୍ରମୁଖ ସଚିବ ଡ. ପବିତ୍ର ମୋହନ ସାମଲ, ସ୍ବତନ୍ତ୍ର ସଚିବ ପ୍ରଣବ ପାତ୍ର ଏବଂ ଅତିରିକ୍ତ ସଚିବ ଶିବ ପ୍ରସାଦ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।