ନୂଆଦିଲ୍ଲୀ: ତୈଳ ରିଫାଇନାରୀରେ ଭୟଙ୍କର ବିସ୍ଫୋରଣ ଏବଂ ଅଗ୍ନିକାଣ୍ଡ । ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏଚପିସିଏଲ୍ ତୈଳ ରିଫାଇନାରୀରେ ଅଗ୍ନିକାଣ୍ଡ ଘଟିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ତେବେ ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନାହାଁନ୍ତି ।
ବିଶାଖାପାଟଣା ପୋଲିସ କମିଶନର ଶଙ୍ଖବ୍ରତ ବାଗଚୀ କହିଛନ୍ତି ଯେ, ଏଚପିସିଏଲ ପରିସରରେ ନିଆଁ ଲାଗିଥିଲା । ଏଥିରେ କାହାରି ମୃତ୍ୟୁ ହୋଇନି । ଘଟଣାର ଅନେକ ଭିଡିଓ ଭାଇରାଲ ହେଉଛି । ଏଥିରେ ନିଆଁ ଆକାଶକୁ ଉଠୁଥିବା ଦେଖିବାକୁ ମିଳିଛି ।
କେଉଁ କାରଣରୁ ଅଗ୍ନିକାଣ୍ଡ ହୋଇଥିଲା ତାହାର କାରଣ ଜଣା ପଡି ନାହିଁ । କମ୍ପାନୀ ପକ୍ଷରୁ ଏହାର କାରଣ ବାବଦରେ ସ୍ପଷ୍ଟ କରାଯିବ । ଏବେ ନିଆଁକୁ ଆୟତ୍ତ କରାଯାଇଛି । ଅଘଟଣ ପରେ ତୁରନ୍ତ ଦମକଳ ବାହିନୀ ସେଠାରେ ପହଁଚିଥିଲେ । ସେମାନେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ ।
ଘଟଣାକୁ ନେଇ କମ୍ପାନୀର ଅଧିକାରୀ ଇ. ନରସିଂହା ରାଓ କହିଛନ୍ତି ଯେ, ଏଚପିସିଏଲର ଦମକଳ ଗାଡି ନିଆଁକୁ ଆୟତ୍ତ କରିବା କାମ କରୁଛନ୍ତି । ବାହାରୁ ଅଧିକ ଦମକଳ ଗାଡ଼ିକୁ ଡାକିବା ନେଇ ଆବଶ୍ୟକତା ନାହିଁ । ଏବେ ସ୍ଥିତି ନିୟନ୍ତ୍ରଣରେ ରହିଥିବା ସେ ପ୍ରକାଶ କରିଛନ୍ତି ।