ଇରାନ ଉପରେ ଆମେରିକାର ଆକ୍ରମଣ, ଯୁଦ୍ଧ ଆଶଙ୍କାକୁ ଖାରଜ କଲେ ଟ୍ରମ୍ପ

0

ନୂଆଦିଲ୍ଲୀ: ଇରାନର କେଶମ ଦ୍ୱୀପ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍ । ସେପଟେ ଯୁଦ୍ଧ ସମ୍ଭାବନାକୁ ଖାରଜ କଲେ ଟ୍ରମ୍ପ । ହରମୁଜ୍ ପ୍ରଣାଳୀରେ ବଢ଼ିଲା ଉତ୍ତେଜନା । ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଉତ୍ତେଜନା ମଧ୍ୟରେ ଆମେରିକା ପକ୍ଷରୁ ଇରାନର ରଣନୈତିକ କେଶମ ଦ୍ୱୀପ ଉପରେ ସାମରିକ ଏୟାର ଷ୍ଟ୍ରାଇକ୍ କରାଯାଇଛି । ଆମେରିକାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ପୁନର୍ବାର ଯୁଦ୍ଧ ହେବାର ସମ୍ଭାବନାକୁ ଖାରଜ କରୁଥିବା ବେଳେ ଏହି କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି । ‘ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ ରିପୋର୍ଟ ଅନୁସାରେ, ଆମେରିକୀୟ ସେନା ବାହିନୀ ଗତ କିଛି ସପ୍ତାହ ଧରି ଇରାନୀୟ ସାମରିକ ଠିକଣାଗୁଡ଼ିକ ଉପରେ ଚଳାଇଥିବା ସୀମିତ ତଥା ଗୋପନୀୟ ଆକ୍ରମଣର ଏହା ଏକ ଅଂଶ ।

​ଇରାନର ସରକାରୀ ସମ୍ବାଦ ସଂସ୍ଥା ‘ଇରନା’ ଏବଂ ପ୍ରେସ୍ ଟିଭିର ରିପୋର୍ଟ ମୁତାବକ, ମଙ୍ଗଳବାର ଭୋରରୁ ଦକ୍ଷିଣ ଇରାନର କେଶମ ଦ୍ୱୀପ ସମେତ ଉପକୂଳବର୍ତ୍ତୀ ସହର ବନ୍ଦର ଲେଙ୍ଗେହରେ ଏକାଧିକ ଶକ୍ତିଶାଳୀ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା । ଘଟଣା ପରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଦାବି କରିଛି ଯେ ସେମାନେ ଇଲେକ୍ଟ୍ରୋନିକ୍ ଯୁଦ୍ଧ କୌଶଳ ବ୍ୟବହାର କରି କେଶମ ଦ୍ୱୀପର ଦକ୍ଷିଣ ଭାଗରେ ଉଡ଼ୁଥିବା ଆମେରିକାର ଦୁଇଟି ‘MQM-170’ ଗୁଇନ୍ଦା ଡ୍ରୋନକୁ ଖସାଇ ଦେଇଛନ୍ତି । ​ଆମେରିକୀୟ ପ୍ରତିରକ୍ଷା ଅଧିକାରୀଙ୍କ ସୂଚନା ମୁତାବକ, ଏହି ଆକ୍ରମଣ କୌଣସି ବ୍ୟାପକ ଯୁଦ୍ଧ ଆରମ୍ଭ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ଏକ ପ୍ରତିରକ୍ଷାମୂଳକ କାର୍ଯ୍ୟାନୁଷ୍ଠାନ ।

ବିଶ୍ୱ ତୈଳ ବାଣିଜ୍ୟର ପ୍ରମୁଖ ସାମୁଦ୍ରିକ ପଥ ଭାବେ ପରିଚିତ ହରମୁଜ୍ ପ୍ରଣାଳୀ ଦେଇ ଚଳାଚଳ କରୁଥିବା ବ୍ୟବସାୟିକ ଜାହାଜଗୁଡ଼ିକ ପ୍ରତି ଇରାନ ସୃଷ୍ଟି କରୁଥିବା ସମ୍ଭାବ୍ୟ ବିପଦ ତଥା ଆକ୍ରମଣ କ୍ଷମତାକୁ ପ୍ରତିହତ କରିବା ପାଇଁ ଏହି ନିର୍ଦ୍ଦିଷ୍ଟ ଠିକଣା ଉପରେ ଏୟାର ଷ୍ଟ୍ରାଇକ୍ କରାଯାଇଛି । ​ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଆମେରିକା ଇରାନ ସହ ଯୁଦ୍ଧ ଜିତିସାରିଛି ଏବଂ ବିଗତ କିଛି ସପ୍ତାହ ଧରି କୌଣସି ବଡ଼ ଧରଣର ସଂଘର୍ଷ ହୋଇନାହିଁ । ନିର୍ବାଚନ ପରେ ଇରାନ ବିରୋଧରେ କୌଣସି ନୂଆ ସାମରିକ କାର୍ଯ୍ୟାନୁଷ୍ଠାନ ଯୋଜନା ଅଛି କି ବୋଲି ପଚରାଯିବାରୁ ଟ୍ରମ୍ପ ସିଧାସଳଖ “ନା” ବୋଲି କହିବା ସହ ତେହେରାନ ସହିତ କୂଟନୈତିକ ବୁଝାମଣା ହେବାର ସମ୍ଭାବନା ରହିଛି ବୋଲି ସଂକେତ ଦେଇଛନ୍ତି । ​ହରମୁଜ୍ ପ୍ରଣାଳୀ ନିକଟରେ ହୋଇଥିବା ଏହି ଆକ୍ରମଣ ଖବର ପ୍ରକାଶ ପାଇବା ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦରରେ ହଠାତ୍ ଅସ୍ଥିରତା ଦେଖାଦେଇଛି ।

Leave A Reply

Your email address will not be published.