ବାଲେଶ୍ଵର : ପୁଣି ଫୁଲିଲା ବୈତରଣୀ ନଦୀ । ବିପଦ ସଂକେତ ମୁହାଁ ବୈତରଣୀ ନଦୀର ଜଳସ୍ତର । ଆଖୁଆପଦା ଠାରେ ବିପଦ ସଂକେତ ୧୮.୩୩ ମିଟର ଥିବା ବେଳେ ୧୮.୨୮ ଉପରେ ଜଳ ପ୍ରବାହିତ ହେଉଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଗତ କାଲି ରାତିରୁ ବୈତରଣୀ ନଦୀର ଜଳ ସ୍ତର ବଢ଼ିବାରେ ଲାଗିଛି । ଫଳରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି ।
ସେହିପରି ବାଲେଶ୍ଵରରେ ବିପଦ ସଙ୍କେତ ଛୁଇଁଲା ଜଳକା ନଦୀ । ଆଜି ସକାଳ ୬ଟା ସୁଦ୍ଧା ନଦୀର ଜଳସ୍ତର ୬.୫୦ ମିଟର ରହିଛି। ସେହିଭଳି ବୁଢ଼ାବଳଙ୍ଗ ନଦୀ ସକାଳ ୬ଟା ସୁଦ୍ଧା ସତର୍କ ସଙ୍କେତ ଅତିକ୍ରମ କରିଥିବା ବେଳେ ଜଳସ୍ତର ୭.୨୮ ମିଟର ରହିଛି । ସୁବର୍ଣ୍ଣରେଖା ନଦୀ ରେ ମଧ୍ୟ ବଢୁଛି ଜଳସ୍ତର । ସକାଳ ୬ ଟା ସୁଦ୍ଧା ନଦୀର ଜଳସ୍ତର ୯.୩୨ ମିଟରରେ ପହଞ୍ଚିଛି ।
ସେପଟେ ରାଜ୍ୟରେ ଲଘୁଚାପ ପ୍ରଭାବରେ ଜାରି ରହିଛି ବର୍ଷା । ଆଜି ମଧ୍ୟ ଅଧା ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ସେହିପରି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଭାରତୀୟ ପାଣିପାଗ ବିଭାଗ (IMD) ସତର୍କ କରାଇଛି । ୨ ଓ ୩ ତାରିଖରେ ମଧ୍ୟ ବିଚ୍ଛିନ୍ନ ଭାବେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାରି ମଧ୍ୟରେ ଚଳିତ ବର୍ଷ ଓଡ଼ିଶା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିଛି ।