ଭୁବନେଶ୍ବର: ବିଜେଡିର ଜଣେ ଟାଣୁଆ ନେତା ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ହେଲେ କିଛିଦିନ ତଳେ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସା କରାଯାଉଥିଲା। ଗତକାଲି ବିଳମ୍ବିତ ରାତିରେ ତାଙ୍କର ପରଲୋକ ଘଟିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା।
ସୁଶାନ୍ତ ସିଂହ ବରଗଡ଼ ଜିଲ୍ଲା ଭଟଲି ନିର୍ବାଚନ ମଣ୍ଡଳୀରୁ ଲଗାତାର ୩ ଥର ବିଧାୟକ ନିର୍ବାଚିତ ହୋଇଥିଲେ। ସେ ୨୦୦୯ ରୁ ୨୦୧୯ ମସିହା ପର୍ଯ୍ୟନ୍ତ ବିଧାୟକ ଥିଲେ। ଓଡ଼ିଶା ସରକାରରେ ସେ ଗ୍ରାମ୍ୟ ଉନ୍ନୟନ ଏବଂ ଶ୍ରମମନ୍ତ୍ରୀ ହେବାର ସୁଯୋଗ ପାଇଥିଲେ। ବିଶେଷ କରି ବିଜେପୁର ଉପନିର୍ବାଚନ ସମୟରେ ତାଙ୍କର ନିର୍ବାଚନୀ ଗୋଟିଚାଳନା ଯୋଗୁଁ ସେ ରାଜ୍ୟ ରାଜନୀତିରେ ବେଶୀ ଚର୍ଚ୍ଚିତ ହୋଇଥିଲେ। ଏହା ପରେ ସୁଶାନ୍ତଙ୍କୁ ନବୀନ ପଟ୍ଟନାୟକ ନିଜ ପରବର୍ତ୍ତୀ ମନ୍ତ୍ରିମଣ୍ଡଳରେ ସ୍ଥାନିତ କରିଥିଲେ। ତାଙ୍କ ବିୟୋଗରେ ଓଡିଶା ରାଜନୀତିରେ ଶୋକର ଛାୟା ଖେଳିଯାଇଛି।