ଜେଲରେ ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ
ବଲାଙ୍ଗିର : ଗୋବିନ୍ଦ ସାହୁଙ୍କ ଆତ୍ମହତ୍ୟା । ଆଜି ସକାଳେ ସେ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଂଜୀ ଜେଲ୍ ପରିସରରେ ରୋଷେଇ ଘର ପାଖ ଏକ ଗଛରେ ଟାୱେଲ ଲଗାଇ ଝୁଲି ପଡ଼ିଥିଲେ। ଏହା ଦେଖି ଜେଲ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ହେଲେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ଘଟଣା ସମ୍ପର୍କରେ ଜେଲ୍ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଆଜି ଗୋବିନ୍ଦଙ୍କୁ କୋର୍ଟରେ ହାଜର କରାଯାଇଥାନ୍ତା। ଏହି ମାମଲାରେ ପ୍ରାୟ ସମସ୍ତ ପକ୍ଷର ସାକ୍ଷ୍ୟ ଶୁଣାଣି ସରିଥିଲା। ମମିତାଙ୍କ ପରିବାର ଲୋକେ ମଧ୍ୟ ସାକ୍ଷ୍ୟ ଦେଇସାରିଥିଲେ। ଅନ୍ୟପକ୍ଷରେ ଗୋବିନ୍ଦ ଆବେଦନ କରିଥିବା ଜାମିନ୍ ଆବେଦନ କୋର୍ଟରେ ଖାରଜ ହୋଇଯାଇଥିଲା। ଏକଦା ଏହି ମାମଲା ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା। ବିଧାୟକ ଓ ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଥିଲା।
ପୂର୍ବତନ ଜେଲ ଡିଆଜି ବଙ୍କିମ ମହାନ୍ତି କହିଛନ୍ତି, ଏହା ଜେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ଓ ସୁରକ୍ଷାରେ ଥିବା ତୃଟି ଯୋଗୁଁ ଘଟିଛି। କାରଣ ଜେଲ୍ରେ ଥିବା ସମସ୍ତ କଏଦୀଙ୍କ ପାଖେପାଖେ ଜଗିବାକୁ ୨୪ ଘଣ୍ଟା ଗାର୍ଡ ମୁତୟନ ଥାଆନ୍ତି।
ଅନ୍ୟପଟେ ଜଣାପଡ଼ିଛି, କଣ୍ଟାବାଂଜୀ ଜେଲ୍ରେ ଥିବା ୭୧ ଜଣ କଏଦୀଙ୍କୁ ଭିତରୁ ୬୭ ଜଣ ବିଚାରାଧୀନ କଏଦୀ। ମାତ୍ର ୪ ଜଣ ଦୋଷୀ ସାବ୍ୟସ୍ତ କଏଦୀ ଥିଲେ। ଗୋବିନ୍ଦଙ୍କୁ ସ୍ୱତନ୍ତ୍ର ୱାର୍ଡରେ ନ ରଖି ଅନ୍ୟ କଏଦୀଙ୍କ ଭିତରେ ରଖାଯାଇଥିଲା।
ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ବିଜେପି ଅଭିଯୋଗ କରିଛି। ବିଜେପି ମହିଳା ମୋର୍ଚ୍ଚା ସଭାପତି ସ୍ମୃତି ପଟ୍ଟନାୟକ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପ୍ରେସ୍ ମିଟ୍ କରି ଏହି ଅଭିଯୋଗ କରିଛନ୍ତି। ଏହି ମାମଲାରେ ନାଁ ଆସିଥିବା ଦିବ୍ୟଶଙ୍କର ମିଶ୍ରଙ୍କୁ କ୍ଲିନ୍ ଚିଟ୍ ଦେବାକୁ ଏହା ଷଡଯନ୍ତ୍ର। ତେଣୁ ମମିତା ମେହେର ହତ୍ୟା ମାମଲା ଓ ଗୋବିନ୍ଦ ସାହୁ ମୃତ୍ୟୁ ମାମଲାର ତଦନ୍ତ କରାଯାଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ ଦାବି କରିଛନ୍ତି।