ବିପଦରେ ଥାଲାପତି ବିଜୟଙ୍କ ଗାଦି ? TVKର ହାତ ଛାଡ଼ିଲେ ବାମପନ୍ଥୀ ପାର୍ଟି !
ତାମିଲନାଡ଼ୁରେ ଥାଲାପତି ବିଜୟଙ୍କ ଗାଦି ଉପରେ ବିପଦର କଳା ବାଦଲ ଘନେଇଛି। ମୁଖ୍ୟମନ୍ତ୍ରୀ ସି ଯୋଶେଫ ବିଜୟଙ୍କ ନେତୃତ୍ଵାଧୀନ ସରକାରଙ୍କୁ ସହଯୋଗୀ ପାର୍ଟି ବଡ଼ ଝଟକା ଦେଇଛନ୍ତି। ରାଜ୍ୟରେ ଅକ୍ଟୋବର ୬ରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପୂର୍ବରୁ ସିପିଆଇ ଓ ସିପିଏମ ଏକାକୀ ନିର୍ବାଚନ ଲଢିବାକୁ ଘୋଷଣା କରିଛନ୍ତି। ଉପନିର୍ବାଚନରେ ବାମପନ୍ଥୀ ସମର୍ଥନ ପ୍ରତ୍ୟାହାର କରିବା ପରେ ଏବେ ବିଧାନସଭାରେ ଟିଭିକେର ମୁସ୍କିଲ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି।
ରିପୋର୍ଟ ଅନୁଯାୟୀ, ଆଗାମୀ ଉପନିର୍ବାଚନରେ ସିପିଆଇ ଧାରାପୁରମ ଏବଂ ସିପିଏମ ମଦୁରନ୍ତକମ ସିଟରୁ ନିଜର ପ୍ରାର୍ଥୀ ଦେବାକୁ ଘୋଷଣା କରିଛି। ଦୁଇ ଦଳ ସ୍ପଷ୍ଟ କରି ସାରିଛନ୍ତି ଯେ, ସେମାନେ ଟିଭିକେ ନେତୃତ୍ଵାଧୀନ କୌଣସି ବି ନିର୍ବାଚନୀ ମେଣ୍ଟରେ ଅଂଶ ବିଶେଷ ହେବେ ନାହିଁ। କେବଳ ଏତିକି ନୁହେଁ ସିପିଏମର ବଡ଼ ନେତା ପି ଷଣମୁଗମଙ୍କ ବୟାନ ମଧ୍ୟ ବିଜୟଙ୍କ ନିଦ ଉଡ଼ାଇ ଦେଇଛି। ଷଣମୁଗମ ଟାଇମ୍ସ ଅଫ ଇଣ୍ଡିଆକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ବିଜୟଙ୍କ ସରକାରଙ୍କୁ ପୂରା ୫ ବର୍ଷ ସମର୍ଥନ ମିଳିବ କି ନାହିଁ ତାହା ବିଜୟ ସରକାରଙ୍କ ନୀତି, ତାଙ୍କ ନିଷ୍ପତ୍ତି ଓ ଲୋକଙ୍କ ପ୍ରତି ତାଙ୍କର ଆଭିମୁଖ୍ୟ ଉପରେ ନିର୍ଭର କରେ।