ବ୍ରଜରାଜନଗରରେ ବଡ଼ ବ୍ୟବଧାନରେ ବାଜି ମାରିନେଲେ ଅଳକା
ବ୍ରଜରାଜନଗର( ଆମ ଟିଭି): ବ୍ରଜରାଜନଗରରେ ବଡ଼ ବ୍ୟବଧାନରେ ବାଜି ମାରିନେଲେ ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି। ଲଗାତାର ଉପ-ନିର୍ବାଚନରେ ବିଜେଡି କେବଳ ବିଜୟୀ ହେଉନି ବରଂ ବିଜୟର ବ୍ୟବଧାନ ମଧ୍ୟ ବଢି ବଢି ଚାଲିଛି । ୨୦୧୯ ନିର୍ବାଚନରେ ବ୍ରଜରାଜନଗରରେ ବିଜେଡି ମାତ୍ର ୧୨ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲା । କିନ୍ତୁ ଉପ-ନିର୍ବାଚନରେ ୬୬ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିପୁଳ ବିଜୟ ହାସଲ କରିଛି ବିଜେଡି ।
ସବୁଠୁ ବଡ କଥା ହେଲା, ୨୦୧୪ ପରେ ପ୍ରଥମଥର ପାଇଁ ୨ୟ ସ୍ଥାନରେ ରହିଲା କଂଗ୍ରେସ । ବିଜେପିର ରାଧାରାଣୀଙ୍କୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ରହିଲେ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲ । ଅଳକା ମହାନ୍ତିଙ୍କୁ ମୋଟ୍ ୯୩ହଜାର ୭୯୦ ଭୋଟ୍ ମିଳିଛି । ଦ୍ୱିତୀୟ ସ୍ଥାନରେ ରହିଲେ କଂଗ୍ରେସ ପ୍ରାର୍ଥୀ । କିଶୋର ପଟେଲଙ୍କୁ ୨୭ହଜାର ୫୬୫ ଭୋଟ୍ ମିଳିଛି । ତୃତୀୟ ସ୍ଥାନରେ ବିଜେପିର ରାଧାରାଣୀ ପଣ୍ଡା ରହିଛନ୍ତି । ରାଧାରାଣୀ ପଣ୍ଡାଙ୍କୁ ୨୨ହଜାର ୩୧୬ ଭୋଟ୍ ମିଳିଛି ।