ମହଣ ମହଣ ସୁନାରେ ଝଲସିଲେ ମହାପ୍ରଭୁ, ସୁନାବେଶ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଅପାର ଭିଡ଼
ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପହଞ୍ଚିଛନ୍ତି ତିନିରଥ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଲୀଳା ଶେଷକରି ବାହୁଡିଛନ୍ତି ମହାପ୍ରଭୁ।ପବିତ୍ର ସୁନାବେଶ ଅବସରରେ ଶନିବାର ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ମହଣ ମହଣ ସୁନାର ଅଳଙ୍କାରରେ ସଜ୍ଜିତ ହୋଇ ଦୁର୍ଲ୍ଲଭ ସୁନାବେଶ ଧାରଣ କରିଛନ୍ତି । ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ା ଯାତ୍ରା ପରେ ରଥ ଉପରେ ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି।
ସୁନାର ମୁକୁଟ, ହାତ, ପାଦ, ଛାତି ଓ ବିଭିନ୍ନ ଦିବ୍ୟ ଅଳଙ୍କାରରେ ସୁସଜ୍ଜିତ ତିନି ଠାକୁରଙ୍କ ଅପୂର୍ବ ରୂପ ଦେଖି ଭକ୍ତମାନେ ଭାବବିହ୍ୱଳ ହୋଇଛନ୍ତି । ଏହି ଦୁର୍ଲ୍ଲଭ ବେଶ ବର୍ଷକୁ ମାତ୍ର ଥରେ ହୋଇଥିବାରୁ ଏହାର ଧାର୍ମିକ ଓ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି।ସୁନାବେଶ ଅବସରରେ ବଡ଼ଦାଣ୍ଡରେ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିଲା। ଦେଶର ବିଭିନ୍ନ ପ୍ରାନ୍ତ ସହ ବିଦେଶରୁ ମଧ୍ୟ ଭକ୍ତମାନେ ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ ପାଇଁ ପୁରୀରେ ପହଞ୍ଚିଛନ୍ତି ।