ଏପଟେ ପ୍ରତିଷ୍ଠା ଦିବସରେ ଦଳକୁ ସୁଦୃଢ଼ କରୁଥିଲେ ନବୀନ: ସେପଟେ ହାତାହାତି ହୋଇଗଲେ ବିଜେଡି ନେତ୍ରୀ

0

ଭୁବନେଶ୍ୱର (ଆମ ଟିଭି): ବିଜେଡି ମୁଖ୍ୟକାର୍ଯ୍ୟାଳୟ ଶଙ୍ଖ ଭବନ ଭିତରେ ଦୁଇ ମହିଳା କର୍ମୀ ହାତାହାତି ହୋଇଛନ୍ତି। ବିଜେଡି ଯୁବନେତ୍ରୀ ଈପ୍ସିତା ସାହୁଙ୍କୁ ନିଜ ଦଳର ଜଣେ ମହିଳା କର୍ମୀ ଚାପୁଡ଼ା ମାରିଥିବା ଜଣାପଡ଼ିଛି। ଗୁରୁବାର ବିଜେଡି ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି। ଷ୍ଟେଜ୍‌ ସମ୍ମୁଖରେ ଚେୟାର ପକାଇବାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ଈପ୍ସିତା ଷ୍ଟେଜ୍‌ ସମ୍ମୁଖରେ କିଛି ଚେୟାର ପକାଉଥିଲେ । ଏହାକୁ ନେଇ କେତେକ ଜଣ ମହିଳା କର୍ମୀ ଆପତ୍ତି କରିଥିଲେ । ପରିସ୍ଥିତି ଏମିତି ହେଇଥିଲା ଯେ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ହାତାହାତି ଯାଏ କଥା ପହଞ୍ଚିଥିଲା । ଈପ୍ସିତାଙ୍କୁ ଚାପୁଡ଼ା ମାରିଥିବା ମହିଳା ଜଣକ ପୁରୀ ଜିଲାର ହୋଇଥିବା ସୂଚନା ମିଳିଛି । ଘଟଣାକୁ ନେଇ ଈପ୍ସିତା କିମ୍ବା ସମ୍ପୃକ୍ତ ମହିଳା କର୍ମୀଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି କହିଛନ୍ତି, ବ୍ୟକ୍ତିଗତ ସମସ୍ୟାକୁ ନେଇ କ’ଣ ହୋଇଥାଇପାରେ ।

ତେବେ ଏହି ଘଟଣା ପୁଣି ବିଜେଡି ଗୋଷ୍ଠୀ କନ୍ଦଳକୁ ପଦାରେ ପକାଇଛି। ନବୀନ ସଙ୍ଗଠନକୁ ସୁଦୃଢ଼ କରିବାକୁ ଉଦ୍ୟମ କରୁଥିବା ବେଳେ କର୍ମୀଙ୍କ ଏଭଳି ଆଚରଣ ବିଜେଡିକୁ ତଳକୁତଳକୁ ନେଉଥିବା ଚର୍ଚ୍ଚା ହେଉଛି।

ନବୀନ କହିଛନ୍ତି, ଆଜିର ଦିନରେ ବିଜୁ ଜନତା ଦଳ ଜନ୍ମ ନେଇଥିଲା। ବିଜୁ ବାବୁଙ୍କ ଆଦର୍ଶ ଓ ପ୍ରେରଣାକୁ ସାଥିରେ ନେଇ ବିଜୁ ପ୍ରେମୀମାନେ ବିଜୁ ଜନତା ଦଳ ଗଠନ କରିଥିଲେ। ସେତେବେଳେ ବହୁ ଲୋକ କହିଥିଲେ ଏଥର ବିଜେଡି ଆଗକୁ ବଢିପାରିବ ନାହିଁ କି ସଫଳ ହେବ ନାହିଁ। ଆଉ ମୋତେ ମଧ୍ୟ କହିଥିଲେ ମୁଁ ରାଜନୀତି କରିପାରିବି ନାହିଁ। ହେଲେ ପରିଶ୍ରମ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦ ଯୋଗୁ ବିଜେଡି ୫ ଥର ନିର୍ବାଚନ ଜିତି ଆପଣମାନଙ୍କ ସେବା କରିବାକୁ ସୁଯୋଗ ପାଇଛି।

ସମସ୍ତଙ୍କ ମନରେ ପ୍ରଶ୍ନ ଥିବ ବିଜେଡି କାହିଁକି ହାରିଲା? ଏହି ପ୍ରଶ୍ନର ଉତ୍ତର ଦେଇ ନବୀନ କହିଛନ୍ତି। ଆମେ ହାରିନାହୁଁ କି ଲୋକଙ୍କ ବିଶ୍ୱାସ ବି ହରାଇ ନାହୁଁ । ଭାଜପା ମିଛ ପ୍ରତିଶ୍ରୁତି ଦେଇ, ଲୋକଙ୍କୁ ଭୁଆଁ ବୁଲାଇ କ୍ଷମତାକୁ ଆସିଛି। ଏତେ ମିଛ କହି ମଧ୍ୟ ଭାଜପା ଆମଠୁ କମ ଭୋଟ ପାଇଛି । ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି, ଏମିତି କହି ଭାଜପା ଉପରେ ବର୍ଷିଛନ୍ତି ବିଜେଡି ସୁପ୍ରିମୋ।

ସେ ଆହୁରି କହିଛନ୍ତି, ଆମର ଭୁଲ ହେଲା, ଭାଜପା ମିଛକୁ ଆମେ ଠିକ ଭାବେ କାଉଣ୍ଟର କରିପାରିଲୁ ନାହିଁ । ଆଜି ଲୋକେ ଜାଣିଲେଣି ଭାଜପା ମିଛ କଥା କହି କ୍ଷମତା ଦଖଲ କରିଛି । ବର୍ତ୍ତମାନର ସରକାର ଲୋକଙ୍କୁ ବଡ ଉପହାର ଦେଇଛନ୍ତି । ତାହା ହେଉଛି ଦରଦାମ ବୃଦ୍ଧି । ଡାଲି, ଚାଉଳଠୁ ନେଇ, ତେଲ ଓ ପନିପରିବା ସବୁଥିରେ ଦର ବୃଦ୍ଧି ଘଟିଛି। ପ୍ରତି ପରିବାର ଆଜି କାନ୍ଦୁଛି । ଧାନ କିଣା ବିକା ନେଇ ଚାଷୀ କାନ୍ଦୁଛି । ମିଶନ ଶକ୍ତି ମା’ ମାନେ ଦୁଃଖରେ ଅଛନ୍ତି । କିନ୍ତୁ କୁମ୍ଭକର୍ଣ୍ଣ ନିଦରେ ଶୋଇଛି ଏ ସରକାର ବୋଲି ନବୀନ କହିଛନ୍ତି।

Leave A Reply

Your email address will not be published.