ଅନାସ୍ଥା ଭୋଟ ପୂର୍ବରୁ ନବ ଦାସଙ୍କ ପୁଅ ବିଶାଲଙ୍କୁ ଅଟକ ରଖିଲା ପୋଲିସ

0

ଝାରସୁଗଡା (ଆମ ଟିଭି): ଛତିଶଗଡ଼ରେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସଙ୍କୁ ଅଟକ ରଖାଯାଇଛି। ଛତିଶଗଡ଼ ମହାସମୁଦ ଜିଲା ସରେଇପାଲି ଥାନାରେ ସେ ଅଟକ ରହିଛନ୍ତି। ବିଶାଲଙ୍କ ସହ କିଛି ସମିତି ସଭ୍ୟ ଓ ସରପଞ୍ଚ ମଧ୍ୟ ଅଛନ୍ତି। ଆଜି କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ ରହିଛି। ଏହା ପୂର୍ବରୁ ବିଶାଲଙ୍କୁ ଅଟକ ରଖାଯାଇଛି। ପୋଲିସ କାର୍ଯ୍ୟାନୁଷ୍ଠାନ ବେଆଇନ ବୋଲି ବିଶାଲ କହିଛନ୍ତି।

ତେବେ ବିଶାଲଙ୍କୁ ଅଟକ ନେଇ ପୂର୍ବତନ ବିଧାୟିକା ତଥା ତାଙ୍କ ଭଉଣୀ ଦୀପାଳି ଦାସ କଡ଼ା ପ୍ରତିକ୍ରିୟା ଦେଇଛନ୍ତି। ମୋ ଭାଇକୁ ଅଟକ ରଖିବା ଦୁଃଖନୀୟ, ଗଣତନ୍ତ୍ରର ହତ୍ୟା। ଲଇକେରା ପୋଲିସ ଅଟକ ରଖି ଛତିଶଗଡ଼ ପୋଲିସକୁ ହସ୍ତାନ୍ତର କରିଛି। ଅଟକ ସମିତି ସଭ୍ୟ ଓ ସରପଞ୍ଚଙ୍କୁ ଭେଟିବାକୁ ବିଶାଲ ଯାଇଥିଲେ। ଏହାପରେ ରାତି ୧ଟାରୁ ମୋ ଭାଇକୁ ବି ସେମାନେ ଅଟକ ରଖିଛନ୍ତି। ସେମାନେ ନିଜସ୍ବ ମତରେ ଆସିଥିବା କହିବା ପରେ ବି ଅଟକ ରଖିଛନ୍ତି। ଦୀପାଳିଙ୍କ ଅଭିଯୋଗରେ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନି।

ସୂଚନାଯୋଗ୍ୟ, ଝାରସୁଗୁଡା ଜିଲା କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ଆଜି ହେବ। ଏହି ପରିପ୍ରେକ୍ଷୀରେ ଗୁରବାର ସକାଳେ ସମିତି ସଭ୍ୟ, ସରପଞ୍ଚ ଲୁଚି ଥିବା ସନ୍ଦେହରେ ବିଶାଳ ଦାସଙ୍କ ଘରେ ଝାରସୁଗୁଡ଼ା ପୋଲିସ ଯାଞ୍ଚ କରିଥିଲା। ସୂଚନା ଅନୁସାରେ କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷା କୃଷ୍ଣପ୍ରିୟା ସାହୁଙ୍କ ବିରୋଧରେ ଶୁକ୍ରବାର କିର୍ମିରା ପଞ୍ଚାୟତ ସମିତିଠାରେ ଅନାସ୍ଥା ଭୋଟ ହେବ। ଏହାକୁ ନେଇ ଦୀର୍ଘ ୫ ମାସ ହେବ ଉଭୟ ଗୋଷ୍ଠୀ ମଧ୍ୟରେ ଛକପଞ୍ଝା ଚାଲିଥିଲା। ହାଇକୋର୍ଟ ଅନାସ୍ଥା ପ୍ରସ୍ତାବ ଭୋଟ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଭୋଟ ଶୁକ୍ରବାର ହେବା ପାଇଁ ଉପଜିଲାପାଳ ସବ୍ୟସାଚୀ ପଣ୍ଡା ବିଜ୍ଞପ୍ତି ଓ ସମସ୍ତ ପ୍ରତିନିଧିଙ୍କୁ ନୋଟିସ ଜାରି କରିଥିଲେ।

ଏହି ଅନାସ୍ଥା ପ୍ରସ୍ତାବ ପ୍ରକ୍ରିୟା ଚାଲୁ ହେବା ଦିନଠାରୁ ସମସ୍ତ ସମିତି ସଭ୍ୟ ଓ ସରପଞ୍ଚ ଆଜ୍ଞାତବାସରେ ଅଛନ୍ତି। ପୂର୍ବତନ ବିଧାୟିକା ଦୀପାଳି ଦାସ କହିଛନ୍ତି, ଓଡ଼ିଶା ପୋଲିସର ଜଣେ ହାବିଲଦାର ତାଙ୍କ ବାପା ନବ ଦାସଙ୍କୁ ଗୁଳି ମାରି ହତ୍ୟା କରିଥିଲେ। ପୁଣି ଗୁରୁବାର ସକାଳ ୯ଟାରେ ଲଇକେରା ଆଇଆଇସି ଦିଲୀପ ବେହେରା ବିନା ସର୍ଚ୍ଚ ୱାରେଣ୍ଟରେ ତାଙ୍କ ବଡ଼ ଭାଇ ବିଶାଳ ଦାସଙ୍କ ସମ୍ବଲପୁର ମାଝିପାଲିସ୍ଥିତ ହୋଟେଲ ଡି ଲାଉଞ୍ଜରେ ପ୍ରବେଶ କରି ହୋଟେଲ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ସେଠାରେ ତଲାସି କରିଥିଲେ। ସେ କହିଛନ୍ତି, ଓଡ଼ିଶା ପୋଲିସର ଏପରି ଘଟଣା ଆମକୁ ମର୍ମାହତ କରିଛି। ଏ ନେଇ ବିଶାଳ ଦାସ ଆଇଜି ହିମାଂଶୁ ଲାଲଙ୍କୁ ଭେଟି ତାଙ୍କ ପରିବାର ପାଇଁ ସୁରକ୍ଷା ମାଗିଛନ୍ତି। ଶୁକ୍ରବାର କିର୍ମିରା ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ଅନାସ୍ଥା ଭୋଟ ସମୟରେ କୌଣସି ଅସୁବିଧା ତଥା ଦୁର୍ଘଟଣା ହେଲେ ସ୍ଥାନୀୟ ବିଧାୟକ, ଜିଲା ପ୍ରଶାସନ ଓ ପୋଲିସ ଦାୟୀ ରହିବେ ବୋଲି ବିଶାଳ ସୂଚନା ଦେଇଛନ୍ତି।

Leave A Reply

Your email address will not be published.