ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ମୁଜାଫରନଗରରେ ଏକ ଶିବ ମନ୍ଦିର ଭିତରେ ଜଣେ ବୃଦ୍ଧ ପୂଜକଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତ ପୂଜକଙ୍କ ନାମ ସ୍ୱାମୀ ଦେବାନନ୍ଦ ଭାରତୀ ହୋଇଥିବା ବେଳେ ତାଙ୍କ ବୟସ ୮୧ ବର୍ଷ ବୋଲି ଜଣାପଡ଼ିଛି । ନବରାତ୍ରୀ ଚାଲିଥିବା ବେଳେ ପୂଜକଙ୍କୁ ଏଭଳି ହତ୍ୟାକୁ ନେଇ ଚର୍ଚ୍ଚା ଚାଲିଛି । ବାଇକରେ ଆସିଥିବା ଦୁଇ ଜଣ ଦୁର୍ବୃତ୍ତ ଏହି ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତିନୋଟି ଟିମ୍ ଗଠନ କରିଛି ।
ଖବର ମୁତାବକ, ମୁଜାଫରନଗରରେ ଏକ ଶିବ ମନ୍ଦିରକୁ ସନ୍ଧ୍ୟାରେ ଦୁଇ ଜଣ ଯୁବକ ବାଇକରେ ଆସିଥିଲେ । ସେମାନେ ପ୍ରଥମେ ପୂଜକଙ୍କୁ ଡାକି ବାହାରକୁ ଆଣିଥିଲେ । ପୂଜକ ବାହାରକୁ ଆସିବା ପରେ ତାଙ୍କୁ ଗୁଳି କରିଥିଲେ । ଗୁଳିମାଡ଼ ପରେ ଉଭୟ ଅଭିଯୁକ୍ତ ବାଇକରେ ଫେରାର ହୋଇଯାଇଥିଲେ । ଘଟଣା ମୁଜାଫରନଗରର ଭୌରାକଲାଁ ଥାନା ଅଞ୍ଚଳରେ ଥିବା ଏକ ଆଇଟିଆଇ କଲେଜ ପରିସରରେ ଥିବା ଶିବ ମନ୍ଦିରରେ ସ୍ୱାମୀ ଦେବାନନ୍ଦ ଭାରତୀ ପୂଜକ ଭାବେ ରହୁଥିଲେ ।
ଖବର ପାଇ ପୋଲିସ ଓ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ମୃତ ସ୍ୱାମୀ ଦେବାନନ୍ଦ ଭାରତୀଙ୍କ ଘର ମଧ୍ୟପ୍ରଦେଶର ଗ୍ୱାଲିୟରରେ ବୋଲି ଜଣାପଡ଼ିଛି । ସେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଥିଲେ । ଅବସର ପରେ ସେ ମନ୍ଦିରରେ ପୂଜକ ଭାବେ ରହୁଥିଲେ ।
ପ୍ରାଥମିକ ତଦନ୍ତରୁ ହତ୍ୟାକାରୀମାନେ ପୂଜକଙ୍କ ପରିଚିତ ହୋଇଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି। ସେମାନେ ପ୍ରଥମେ ପୂଜକଙ୍କୁ ନାମ ଧରି କିମ୍ବା ଡାକି ବାହାରକୁ ଆଣିଥିବା ଜଣାପଡ଼ିଛି । ତେବେ ହତ୍ୟା ପଛର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏହି ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରିବା ପାଇଁ ପୋଲିସ ଏସ୍ଓଜି (SOG), ସର୍ଭିଲାନ୍ସ ଓ ସ୍ଥାନୀୟ ଥାନାର ତିନୋଟି ଟିମକୁ ନିୟୋଜିତ କରିଛି ।