ନୃତ୍ୟାୟନର ୩୪ତମ ବାର୍ଷିକ ଉତ୍ସବ “ଗୁରୁଦେବ” ଅନୁଷ୍ଠିତ, ଦଳଗତ ଓଡିଶୀ ନୃତ୍ୟ ନାଟିକାରେ ଦର୍ଶକ ବିଭୋର

0

ଓଡ଼ିଶାର ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ “ନୃତ୍ୟାୟନ” ତରଫରୁ ୩୪ତମ ବାର୍ଷିକ ଉତ୍ସବ “ଗୁରୁଦେବ” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ମହାଡମ୍ବରରେ ପାଳିତ ହୋଇଛି l ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀରଙ୍କ ଉପସ୍ଥିତିରେ ସଭାପତି ଇଂ ରାଧାଶ୍ୟାମ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା l ମୁଖ୍ୟ ଅତିଥିଭାବେ ଖୋର୍ଦ୍ଧା ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀଯୁକ୍ତ ଚୌଧୁରୀ ଅରବିନ୍ଦ ଦାସ, ବିଶିଷ୍ଟ ଓଡିଶୀ ନୃତ୍ୟ ଶିଳ୍ପୀ ତଥା ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶିକା ଶ୍ରୀମତୀ ଦୀପ୍ତି ମିଶ୍ର ଏବଂ ସାଧୁ ଟ୍ରାନ୍ସପୋର୍ଟର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁଶାନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଦ ପଦ୍ମରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ l ଅନୁଷ୍ଠାନର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଧୀରେନ୍ଦ୍ର ନାଥ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ l କାର୍ଯ୍ୟକ୍ରମକୁ ଉପସ୍ଥାପକ ବିଶ୍ୱଜିତ ବଳିୟାରସିଂହ ପରିଚାଳନା କରିଥିଲେ l


କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅନୁଷ୍ଠାନର ନୃତ୍ୟ ଶିଳ୍ପୀମାନଙ୍କ ଦ୍ୱାରା “ସର୍ବ ଭୁତେ ହରି ” ଏକ ଦଳଗତ ଓଡିଶୀ ନୃତ୍ୟ ନାଟିକା ପରିବେଷଣ ହୋଇଥିଲା l ଶ୍ରୀମଦ ଭାଗବତ ମହାପୁରାଣ ଛାୟା କଳ୍ପରେ ଏବିଷୟଟି ଉଦ୍ଧୃତ ହୋଇଛି l ମାୟା ମୋହ ସଂସାରରେ କ୍ଷଣ ଭଙ୍ଗୁର ଏବଂ ଅଜ୍ଞାନୀ ମନୁଷ୍ୟ ମାନଙ୍କ ଉଦ୍ଦେଶ୍ୟରେ ଭଗବାନ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ ତତ୍ୱ ଜ୍ଞାନ ପ୍ରଦାନ କରିଛନ୍ତି l ପରେ ପରେ କୁନି କୁନି ଶିଳ୍ପୀମାନଙ୍କ ଦ୍ୱାରା ଓଡିଶୀ, ସମ୍ବଲପୁରୀ ଲୋକ ଗୀତ ଆଦି ପରିବେଷଣ ହୋଇଥିଲା l ଶେଷରେ “ଗଙ୍ଗା ଚରିତ” ଦଳଗତ ଓଡିଶୀ ନୃତ୍ୟ ନାଟିକା ପରିବେଷଣ ହୋଇଥିଲା l ଦଳଗତ ଦୁଇଟି ନୂଆ ଓଡିଶୀ ନୃତ୍ୟ ନାଟିକା ଦେଖି ଦର୍ଶକ ବିଭୋର ହୋଇଥିଲେ ଏବଂ ଅନେକ ପ୍ରଶଂସା କରିଥିଲେ l


ଅନୁଷ୍ଠାନର ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ ଏହି ବାର୍ଷିକ ଉତ୍ସବରେ ନୃତ୍ୟ ପରିବେଷଣ କରିଥିଲେ l ନୃତ୍ୟ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ପରିଶ୍ରମ, ଅଭିଭାବକ ଏବଂ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କ ସହଯୋଗ ଯୋଗୁଁ ଏହି ଉତ୍ସବ ସଫଳତାର ସହିତ ସମ୍ପନ୍ନ ହୋଇପାରିଥିବା କଥା ଅନୁଷ୍ଠାନର ଉପସଭାପତି ଶ୍ରୀମତୀ ଆରତୀ ରଣବୀର ପ୍ରକାଶ କରିଥିଲେ l ନୃତ୍ୟାୟନ ସର୍ବଦା ଓଡିଶୀ ନୃତ୍ୟର ମୌଳିକତାକୁ ଗୁରୁତ୍ୱ ଦେଇ ନୃତ୍ୟ ପରିବେଷଣ କରିବା ପାଇଁ ପ୍ରଚେଷ୍ଟା କରିଥାଏ l ନୃତ୍ୟାୟନ ଦୀର୍ଘ ବର୍ଷରୁ ଅନେକ ଶିଷ୍ୟ, ଶିଷ୍ୟା ସୃଷ୍ଟି କରିଛନ୍ତି ଯେଉଁମାନେ ଆମ ଦେଶ ବ୍ୟତୀତ ପ୍ରାୟ ୨୬ ଟି ଦେଶରେ ନୃତ୍ୟ ଅନୁଷ୍ଠାନ କରି ଓଡିଶୀ ନୃତ୍ୟକୁ ସୁଦୂର ପ୍ରସାରୀ କରିପାରିଛନ୍ତି l ପଦ୍ମଶ୍ରୀ ଗୁରୁ ଦୁର୍ଗା ଚରଣ ରଣବୀରଙ୍କର ଜଣେ ପ୍ରାକ୍ତନ ଶିଷ୍ୟା ଶ୍ରୀମତୀ ଦୀପ୍ତି ମିଶ୍ର ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନର ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ତାଙ୍କର ବହୁମୂଲ୍ୟ ବକ୍ତବ୍ୟରେ ଗୁରୁଙ୍କ ସମ୍ପର୍କରେ ଅନେକ କଥା କହିଥିଲେ l

Leave A Reply

Your email address will not be published.