ନୂଆଦିଲ୍ଲୀ: ସାମ୍ପ୍ରତିକ ବିଶ୍ୱ ସଂକଟ ସମୟରେ ବିଭିନ୍ନ ଦେଶର ସରକାର ଖର୍ଚ୍ଚ ହ୍ରାସ, ଯାତ୍ରା କମାଇବା ଏବଂ ଶକ୍ତି ସଂରକ୍ଷଣ କରିବାକୁ ନିୟମିତ ଭାବେ ନାଗରିକମାନଙ୍କୁ ନିବେଦନ କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସଂଯମତା ଅବଲମ୍ବନ କରିବା ଲାଗି ଅପିଲ୍ କରିଛନ୍ତି । ତାଙ୍କର ଏହି ନିବେଦନ କୌଣସି ବ୍ୟତିକ୍ରମ କିମ୍ବା ଅତ୍ୟଧିକ ନୁହେଁ । ବିଶ୍ୱର କେତେକ ଦେଶ କେବଳ ନିବେଦନ ଠାରୁ ଆଗକୁ ବଢ଼ି ବିଭିନ୍ନ ବାଧ୍ୟତାମୂଳକ ନିୟମ ଲାଗୁ କରିଛନ୍ତି । ଏସବୁ ଦେଶ ୨୦୨୬ ତୈଳ ସଂକଟର ମୁକାବିଲା ନିମନ୍ତେ ଇନ୍ଧନର ଯୁକ୍ତିସଂଗତ ଉପଯୋଗ, ବାଧ୍ୟତାମୂଳକ ଭାବେ ଘରୁ କାମ କରିବା, ଇନ୍ଧନ ବ୍ୟବହାର ପାଇଁ ନିର୍ଦ୍ଦିଷ୍ଟ ସୀମା ଲାଗୁ କରିବା, ଗାଡ଼ି ବେଗ ହ୍ରାସ ଏବଂ ଯାତ୍ରା ଉପରେ ଅଙ୍କୁଶ ଲଗାଇବା ଭଳି ପଦକ୍ଷେପ ନେଇଛନ୍ତି ।
ବିଶ୍ୱ ସଂକଟର ମୁକାବିଲା ଲାଗି ୟୁରୋପୀୟ ଆୟୋଗ ସମେତ ପ୍ରାୟ ୪୦ଟି ଦେଶ ଜରୁରିକାଳୀନ ଇନ୍ଧନ ସଂରକ୍ଷଣ ପଦକ୍ଷେପ ନେଇଛନ୍ତି । ଇନ୍ଧନ ଓ ପରିବହନ ଉପରେ ୪୦ରୁ ଅଧିକ ଦେଶ କଟକଣା ଲାଗୁ କରିଛନ୍ତି। ବିକଶିତ ଅର୍ଥବ୍ୟବସ୍ଥାଗୁଡ଼ିକ ସୀମାଶୁଳ୍କ ହ୍ରାସ, ସରକାରୀ ସହାୟତା ବ୍ୟବସ୍ଥା, ଲାଭଖୋରୀ ବିରୋଧରେ ଚେତାବନୀ ସମେତ ପରିବହନ, କୃଷି ଏବଂ ଅଧିକ ଇନ୍ଧନ ବ୍ୟବହାର କରୁଥିବା କ୍ଷେତ୍ର ପାଇଁ ସହାୟତା ଯୋଗାଇ ଦେଇଛନ୍ତି । ରୋଷେଇ ତେଲ, ଏଲପିଜି ବ୍ୟବହାର କମାଇବା ଲାଗି ୩ଟି ଦେଶ ପ୍ରତ୍ୟକ୍ଷ ପଦକ୍ଷେପ ନେଇଛନ୍ତି । ଇନ୍ଧନର ଯୁକ୍ତିସଂଗତ ବ୍ୟବହାର, ସିଲିଣ୍ଡରକୁ ଅଧା ପୂରଣ କରିବା କିମ୍ବା ଇଲେକ୍ଟ୍ରିକ୍ ଅଥବା ପିଏନଜି ଭଳି ବିକଳ୍ପ ଇନ୍ଧନ ଉପଯୋଗ ଲାଗି ପଦକ୍ଷେପ ନିଆଯାଇଛି ।
୧୮ଟି ଦେଶ ପରିବହନ ହ୍ରାସ ରଣନୀତି ଅବଲମ୍ବନ କରିଛନ୍ତି । ଇନ୍ଧନ ବ୍ୟବହାର ପାଇଁ ସୀମା ନିର୍ଦ୍ଧାରଣ କରିବା, ଦୈନିକ ଗାଡ଼ି ଚାଳନାକୁ ନିୟନ୍ତ୍ରଣ କରିବା, କାର୍ ପୁଲିଂ ଓ ଗଣପରିବହନକୁ ପ୍ରୋତ୍ସାହନ ଦେବା, ଘରୋଇ/ସରକାରୀ ବାହନ ଚଳାଚଳକୁ ନିୟନ୍ତ୍ରଣ କରିବା ସହିତ ଇଭି ବିକଳ୍ପ ବ୍ୟବହାର ପାଇଁ ପଦକ୍ଷେପ ନିଆଯାଇଛି । ୧୩ଟି ଦେଶ ଘରୁ କାମ କରିବାର ବ୍ୟବସ୍ଥା ଏବଂ ଦୂରରୁ ଥାଇ କାମ କରିବାର ନିୟମ ଲାଗୁ କରିଛନ୍ତି । ସାର୍ବଜନୀନ କ୍ଷେତ୍ରରେ ବିଶେଷ କରି ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି । ୩୫ରୁ ଅଧିକ ଦେଶ ଜନସଚେତନତା, ଇନ୍ଧନ ସୀମା ନିର୍ଦ୍ଧାରଣ, ସରକାରୀ ଯାତ୍ରା କଟକଣା ଏବଂ ସାର୍ବଜନୀନ ସ୍ତରରେ ଇନ୍ଧନର ଦକ୍ଷ ବ୍ୟବହାର ଆଦି ପଦକ୍ଷେପ ସମେତ ଇନ୍ଧନ ସଞ୍ଚୟ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି।
ପ୍ରଶାସନିକ ସେବା କର୍ମଚାରୀଙ୍କ ପାଇଁ ଅନେକ ଦେଶ ଘରୁ କାମ କରିବା ଏବଂ କାର୍ଯ୍ୟାଳୟ ଠାରୁ ଦୂରରେ ରହି କାମ କରିବାର ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି । ଘରୋଇ କ୍ଷେତ୍ର ପାଇଁ ଦୈନନ୍ଦିନ କାର୍ଯ୍ୟାଳୟକୁ ନ ଆସିବାର ବ୍ୟବସ୍ଥାକୁ ପ୍ରୋତ୍ସାହିତ କରାଯାଉଛି । ପାକିସ୍ତାନରେ ସପ୍ତାହକୁ ୪ଦିନ କାମ କରିବା ଏବଂ ୫୦% କାମ ପାଇଁ କାର୍ଯ୍ୟାଳୟକୁ ନ ଆସିବାର ବ୍ୟବସ୍ଥା କରାଯାଇଛି । ଇଣ୍ଡୋନେସିଆରେ ପ୍ରତ୍ୟେକ ଶୁକ୍ରବାର ୱାର୍କ ଫ୍ରମ୍ ହୋମ୍ ବା ଘରୁ ଥାଇ କାମ କରିବାର ନିୟମ ଲାଗୁ କରାଯାଇଛି । ଶ୍ରୀଲଙ୍କାରେ ବୁଧବାର କାର୍ଯ୍ୟାଳୟକୁ ବନ୍ଦ ରଖାଯାଉଛି । କୋରିଆ, କାମ୍ବୋଡ଼ିଆ, ଲାଓ ପିଡିଆର, ମାଲେସିଆ, ଫିଲିପାଇନ୍ସ, ଥାଇଲ୍ୟାଣ୍ଡ, ଭିଏତନାମ, ପେରୁ, ଇଜିପ୍ଟ ଆଦି ଦେଶ ଇନ୍ଧନ ସଞ୍ଚୟ ଲାଗି ନମନୀୟ ବ୍ୟବସ୍ଥା କରିଛନ୍ତି ।
ବିଦ୍ୟୁତ ସଞ୍ଚୟ ଲାଗି ବାଂଲାଦେଶ, ସିଙ୍ଗାପୁର, କାମ୍ବୋଡ଼ିଆ, ମାଲେସିଆ, ଶ୍ରୀଲଙ୍କା, ଥାଇଲ୍ୟାଣ୍ଡ, ଜୋର୍ଡାନ୍ ଆଦି ଦେଶରେ ଏସି ବ୍ୟବହାର ହ୍ରାସ ସହିତ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜୋର୍ଡାନରେ ଆକାଶ/ସଡ଼କ ମାର୍ଗରେ ସରକାରୀ ଗସ୍ତ ଓ ବିଦେଶ ଯାତ୍ରା ଉପରେ ଅଙ୍କୁଶ ଲାଗୁ ହୋଇଛି । ପାକିସ୍ତାନରେ ବିଦେଶ ଯାତ୍ରା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଇଜିପ୍ଟ, ଇଣ୍ଡୋନେସିଆ, ମାଲେସିଆ, କୋରିଆ, ପାନାମା, ତାଞ୍ଜାନିଆ ଆଦି ଦେଶରେ ଅଡ୍ ଇଭିନ୍ ନମ୍ବର ଫର୍ମୁଲାରେ ଗାଡ଼ି ଚଳାଇବା ସହିତ ଅନ୍ୟାନ୍ୟ କଟକଣା ଲାଗୁ କରାଯାଇଛି । ବାଂଲାଦେଶରେ ବିଶ୍ୱବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଇଛି । ଶ୍ରୀଲଙ୍କାରେ ବୁଧବାର ଛୁଟି ଏବଂ ଲାଓ ପିଡିଆରରେ ୩ ଦିନ କାମ ବ୍ୟବସ୍ଥା କରାଯାଇଛି । ପାକିସ୍ତାନରେ ୧୦୦% କାମ ଅନଲାଇନ କରାଯାଉଛି। ପେରୁରେ ମଧ୍ୟ ଖର୍ଚ୍ଚ ହ୍ରାସ କଟକଣା ଲାଗୁ ହୋଇଛି ।
ଅଷ୍ଟ୍ରେଲିଆ ସମେତ ବିଭିନ୍ନ ଦେଶରେ ଲାଇଟ୍ ଜଳାଇବା କମାଇବା ସହିତ ବୈଦ୍ୟୁତିକ ଉପକରଣ ବ୍ୟବହାର ହ୍ରାସ ଜରିଆରେ ଶକ୍ତି ସଞ୍ଚୟ ପାଇଁ ଉପଭୋକ୍ତା, ବ୍ୟବସାୟ ଏବଂ କାର୍ଯ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। କାମ୍ବୋଡ଼ିଆର ସରକାରୀ ବିଦ୍ୟୁତ କମ୍ପାନୀ ଜନସାଧାରଣଙ୍କୁ ବିଦ୍ୟୁତ ବ୍ୟବହାର କମାଇବାକୁ ନିବେଦନ କରିଛି। କୋରିଆ ସରକାର ଶକ୍ତି ସଞ୍ଚୟ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଉଛନ୍ତି । ସିଙ୍ଗାପୁର ଜନସାଧାରଣଙ୍କୁ ଶକ୍ତି ସଂରକ୍ଷଣ ଏବଂ ବିଦ୍ୟୁତ ଦକ୍ଷ ଉପକରଣ ବ୍ୟବହାର କରିବାକୁ ନିବେଦନ କରିଛି । ନେଦରଲ୍ୟାଣ୍ଡ ଜାତୀୟ ତୈଳ ସଙ୍କଟ ଯୋଜନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିଛି । ଘରୋଇ ଉପଭୋକ୍ତା ଏବଂ ବ୍ୟବସାୟଗୁଡ଼ିକୁ ସୌର ପିଭି ସମେତ ଲକ୍ଷ୍ୟ ଆଧାରିତ ଦକ୍ଷତା ପ୍ୟାକେଜ କାର୍ଯ୍ୟକାରୀ କରିବା ଲାଗି କୁହାଯାଇଛି ।
ଗ୍ୟାସ ବଏଲର୍ ସ୍ଥାନରେ ହିଟ୍ ପମ୍ପ ଏବଂ ଘରୋଇ ରେଟ୍ରୋଫିଟ୍ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ପାକିସ୍ତାନରେ ସ୍ଥାନୀୟ ପ୍ରଶାସନଗୁଡ଼ିକୁ ଶକ୍ତି ସଞ୍ଚୟ ପଦକ୍ଷେପ ନେବାକୁ କୁହାଯାଇଛି। ଯେକୌଣସି ପ୍ରକାର ସରକାରୀ ନୈଶ୍ୟ ଭୋଜି, ସର୍ବସାଧାରଣ ବୈଠକକୁ ବନ୍ଦ ରଖାଯାଇଛି । ରାତି ୮ଟା ସୁଦ୍ଧା ବଜାର ଓ ବାଣିଜ୍ୟିକ କେନ୍ଦ୍ର ବନ୍ଦ ରଖିବା ଏବଂ ଖାଦ୍ୟ ଓ କାର୍ଯ୍ୟକ୍ରମ ପ୍ରତିଷ୍ଠାନକୁ ରାତି ୧୦ଟା ସୁଦ୍ଧା ବନ୍ଦ ରଖିବାକୁ କୁହାଯାଇଛି । ମାଡାଗାସ୍କାରରେ ୧୫ ଦିନ ପାଇଁ ଶକ୍ତି ବ୍ୟବହାରକୁ ନେଇ ଦେଶବ୍ୟାପୀ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।
ଥାଇଲ୍ୟାଣ୍ଡର ଗ୍ରାମାଞ୍ଚଳରେ ରାସ୍ତାପାର୍ଶ୍ୱ ଆଲୋକ ବନ୍ଦ ରଖିବା ଏବଂ ସରକାରୀ କାର୍ଯ୍ୟାଳୟରେ ବିଦ୍ୟୁତ ଶକ୍ତି ବ୍ୟବହାର କମାଇବାକୁ କୁହାଯାଇଛି । ବ୍ରିଟେନ ସରକାର ସାଧାରଣ ଲୋକଙ୍କୁ ଘରେ ଏଲପିଜି କିମ୍ବା ତୈଳ ବ୍ୟବହାର ପରିବର୍ତ୍ତେ ବିକଳ୍ପ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି । ଭିଏତନାମରେ ମଧ୍ୟ ଶକ୍ତି ସଞ୍ଚୟ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଛି ।
କିଛି ଦେଶ ପରିବହନ କ୍ଷେତ୍ରରେ ମଧ୍ୟ କଟକଣା ଲାଗୁ କରିଛନ୍ତି । କୋରିଆରେ ଅଡ ଇଭିନ୍ ନମ୍ବର ଫର୍ମୁଲା ଏବଂ ନୋ ଡ୍ରାଇଭିଂ ଡେ ଘୋଷଣା କରାଯାଇଛି । ଶ୍ରୀଲଙ୍କାରେ କ୍ୟୁଆର୍ କୋଡ୍ ଆଧାରିତ ଗାଡ଼ି ଚାଳନା ନିୟମ ଲାଗୁ କରାଯାଇଛି । ମ୍ୟାଁମାରରେ ବିକଳ୍ପ ଦିନରେ ଗାଡ଼ି ଚାଳନା ସହିତ ବୈଦ୍ୟୁତିକ ବାହନ ବ୍ୟବହାର ପାଇଁ ବ୍ୟବସ୍ଥା କରାଯାଇଛି । ବାଂଲାଦେଶରେ ଇନ୍ଧନ ବ୍ୟବହାର ସୀମା ନିର୍ଦ୍ଧାରଣ ସହିତ ପାକିସ୍ତାନରେ ସାର୍ବଜନୀନ ପରିବହନ ବ୍ୟବହାରକୁ ନିଃଶୁଳ୍କ କରାଯିବା ସହିତ ବେଗ ସୀମା ନିର୍ଦ୍ଧାରଣ କରାଯାଇଛି । ଇଣ୍ଡୋନେସିଆରେ ବାୟୋଡିଜେଲ୍ ଏବଂ ଇଭି ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି ।
ବ୍ରିଟେନ, ନେଦରଲ୍ୟାଣ୍ଡ, ସ୍ପେନ୍ ଆଦି ଦେଶ ସୌରଶକ୍ତି, ହିଟ୍ ପମ୍ପ ଅନୁଦାନ, ଏଲଇଡି ରେଟ୍ରୋଫିଟ୍ ଆଦି ଶକ୍ତି ଦକ୍ଷ ପଦକ୍ଷେପ ଗ୍ରହଣ କରାଯାଇଛି । ଫ୍ରାନ୍ସ, ବ୍ରିଟେନ, ଚିଲି, କାମ୍ବୋଡ଼ିଆ, ଲାଓ ପିଡିଆର, ମ୍ୟାଁମାର, ଥାଇଲ୍ୟାଣ୍ଡ ଆଦି ଦେଶରେ ବୈଦ୍ୟୁତିକ ବାହନ ବ୍ୟବହାରକୁ ପ୍ରୋତ୍ସାହନ ଦିଆଯାଇଛି । ଏହାସହିତ ମାଡ଼ଗାସ୍କରରେ ୧୫ ଦିନ, ମାର୍ଶାଲ ଆଇଲ୍ୟାଣ୍ଡରେ ୯୦ ଦିନ, ଟୁଭାଲୁରେ ଦୁଇ ସପ୍ତାହ, ଫିଲିପାଇନ୍ସ ଏବଂ ଶ୍ରୀଲଙ୍କାରେ ଜାତୀୟ ଇନ୍ଧନ ଜରୁରିକାଳୀନ ସ୍ଥିତି ଘୋଷଣା କରାଯାଇଛି । ମାଳଦ୍ୱୀପ ଓ ଶ୍ରୀଲଙ୍କାରେ ଅଧା ଏଲପିଜି ସିଲିଣ୍ଡର ଭର୍ତ୍ତି ପାଇଁ ଅନୁମତି ମିଳୁଛି । ଇଜିପ୍ଟ ଓ ଶ୍ରୀଲଙ୍କାରେ ବିଲବୋର୍ଡ ଲାଇଟ୍ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି।