ବୈଭବ ସୂର୍ଯ୍ୟବଂଶୀଙ୍କୁ ଟି-୨୦ ଡାକରା
ମାତ୍ର ୧୫ ବର୍ଷ ବୟସରେ ଭାରତୀୟ ସିନିୟର ଟି-୨୦ ଦଳରେ ସ୍ଥାନ ପାଇ ଇତିହାସ ରଚିଛନ୍ତି ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ । ଆଇପିଏଲ୍, ୧୯ ବର୍ଷରୁ କମ୍ ବିଶ୍ୱକପ୍ ଏବଂ ଘରୋଇ କ୍ରିକେଟରେ ନିଜର ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ ପରେ ଶନିବାର ଆୟର୍ଲାଣ୍ଡ, ଇଂଲଣ୍ଡ ଗସ୍ତ ଏବଂ ଏସୀୟ କ୍ରୀଡ଼ା ପାଇଁ ଘୋଷିତ ଭାରତୀୟ ଦଳରେ ତାଙ୍କୁ ପ୍ରଥମ ଥର ପାଇଁ ସାମିଲ କରାଯାଇଛି । ଏଥିସହ ଭାରତୀୟ ବରିଷ୍ଠ ଦଳରେ ସ୍ଥାନ ପାଇବାରେ ସେ ସର୍ବକନିଷ୍ଠ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ବିଗତ ଆଇପିଏଲ୍ ସଂସ୍କରଣରେ ସୂର୍ଯ୍ୟବଂଶୀ ୨୩୭.୩୦ର ଅଦ୍ଭୁତ ଷ୍ଟ୍ରାଇକ୍ରେଟ୍ରେ ୭୭୬ ରନ୍ ସଂଗ୍ରହ କରି ‘ଅରେଞ୍ଜ କ୍ୟାପ୍’ ନିଜ ନାମରେ କରିଥିଲେ ।
କେବଳ ଟ୍ୱେଣ୍ଟି-୨୦ ଦଳରେ ସୁଯୋଗ ପାଇଥିବା ଏହି ଯୁବ କ୍ରିକେଟରଙ୍କ ପ୍ରକୃତ ଲକ୍ଷ୍ୟ କିନ୍ତୁ ଅନେକ ବଡ଼ । ରବିବାର ଏକ ଆଲୋଚନା ବେଳେ ବୈଭବ ନିଜ ମନର କଥା ପ୍ରକାଶ କରି କହିଛନ୍ତି ଯେ, ସେ କ୍ରିକେଟର ସମସ୍ତ ତିନୋଟି ଫର୍ମାଟ୍ରେ ଭାରତର ପ୍ରତିନିଧିତ୍ୱ କରିବାକୁ ସ୍ୱପ୍ନ ଦେଖିଛନ୍ତି । ବିଶେଷ କରି ‘ରେଡ୍ ବଲ୍’ ବା ନାଲି ବଲ୍ କ୍ରିକେଟ ପ୍ରତି ତାଙ୍କର ସ୍ୱତନ୍ତ୍ର ଦୁର୍ବଳତା ରହିଛି ।