ପରଦାରେ ମହାପ୍ରଭୁଙ୍କୁ ଦେଖି ଭାବବିହ୍ୱଳ ହେଲେ ଦର୍ଶକ: ଦମଦାର୍ କାହାଣୀ ସହ ସବୁ ରେକର୍ଡ ଭାଙ୍ଗିବା ଦିଗରେ ଦେଶର ପ୍ରଥମ ଜଗନ୍ନାଥ ଆନିମେଟେଡ୍ ଚଳଚ୍ଚିତ୍ର
ବହୁ ପ୍ରତୀକ୍ଷା ପରେ ଶେଷରେ ସମଗ୍ର ବିଶ୍ୱର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ଆଧାରିତ ପ୍ରଥମ ଆନିମେଟେଡ୍ ଚଳଚ୍ଚିତ୍ର ‘ମହାପ୍ରଭୁ ଜଗନ୍ନାଥ’ ସାରା ଭାରତରେ ଓଡ଼ିଆ, ହିନ୍ଦୀ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଛି। ଓଡ଼ିଶାର ସମସ୍ତ ପ୍ରେକ୍ଷାଳୟରେ ଏହା ପ୍ରଦର୍ଶିତ ହେଉଥିବା ବେଳେ ଦର୍ଶକଙ୍କ ବିପୁଳ ପ୍ରଶଂସା ସାଉଁଟୁଛି। ଖାସ କରି ନିଜ ପିଲା ମାନଙ୍କୁ ନେଇ ଆସିଥିବା ପରିବାର ଚଳଚ୍ଚିତ୍ରକୁ ବହୁତ ପ୍ରଶଂସା ଦେଇଛନ୍ତି।
ଏହି ଚଳଚ୍ଚିତ୍ରକୁ ଲୋକପ୍ରିୟ ୱେବସାଇଟ୍ ଆଇଏମଡିବି ପକ୍ଷରୁ ୧୦ରୁ ୮.୮ ରେଟିଂ ମିଳିଥିବା ବେଳେ ଅନ୍ୟାନ୍ୟ ମନୋରଞ୍ଜନ ୱେବସାଇଟ୍ଗୁଡ଼ିକ ଏହାର ଚମତ୍କାର କାହାଣୀ ତଥା ଉନ୍ନତ ଭିଏଫଏକ୍ସ ଏବଂ ଆନିମେସନ୍ ପାଇଁ ୧୦ରୁ ୮-୯ ରେଟିଂ ପ୍ରଦାନ କରିଛନ୍ତି। ଆଇଏମଡିବି ଅନୁଯାୟୀ ଏହା ହେଉଛି “ଆଶାଠାରୁ ଅଧିକ ସଫଳତା ଦେଇଥିବା ଏକ ଶକ୍ତିଶାଳୀ ଭକ୍ତିରସାତ୍ମକ ମନୋରଞ୍ଜକ ଚଳଚ୍ଚିତ୍ର”। ମନୋରଞ୍ଜନ ତଥା ଲାଇଫଷ୍ଟାଇଲ୍ ପତ୍ରିକା ‘କୋଇମୋଇ’ ମତରେ ଯେଉଁମାନେ ‘ମହାବତାର ନୃସିଂହ’କୁ ଭଲ ପାଇଥିଲେ, ସେମାନଙ୍କୁ ଏହି ଚଳଚ୍ଚିତ୍ର ନିଶ୍ଚୟ ପସନ୍ଦ ଆସିବ।
ପ୍ରେକ୍ଷାଳୟରେ ଶ୍ରୀଜଗନ୍ନାଥଙ୍କ ପ୍ରବେଶ ଦୃଶ୍ୟରେ ଦର୍ଶକଙ୍କ କରତାଳିରେ ହଲ୍ ପ୍ରକମ୍ପିତ ହେଉଛି। ଆହୁରି ମଧ୍ୟ, ପ୍ରେକ୍ଷାଳୟ ବାହାରେ ଥିବା ପ୍ରଭୁ ବଳରାମଙ୍କ ମାସ୍କଟ୍ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଏବଂ ଦର୍ଶକମାନେ ଉତ୍ସାହର ସହିତ ତାଙ୍କ ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି। ଚଳଚ୍ଚିତ୍ରଟିକୁ ନେଇ ଦର୍ଶକଙ୍କ ମଧ୍ୟରେ ଏତେ ଉତ୍ସାହ ଦେଖିବାକୁ ମିଳିଛି ଯେ ଓଡ଼ିଶାର ସମସ୍ତ ପ୍ରମୁଖ ସହରଗୁଡ଼ିକରେ ଆସନ୍ତା ରବିବାର ପର୍ଯ୍ୟନ୍ତ ଅଧିକାଂଶ ଟିକେଟ୍ ବୁକିଂ ହୋଇସାରିଲାଣି। ସାରା ରାଜ୍ୟରେ ଏହି ଆନିମେଟେଡ୍ ଚଳଚ୍ଚିତ୍ରଟି ଦର୍ଶକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛି।
ଯୁବପିଢ଼ିଙ୍କ ନିକଟରେ ପୌରାଣିକ କଥାବସ୍ତୁକୁ ପହଞ୍ଚାଇବାର ଏହା ଏକ ନିଷ୍ଠାପର ପ୍ରୟାସ। ଏହାର କାହାଣୀ ସବୁ ବର୍ଗର ଦର୍ଶକଙ୍କ ମନ ଛୁଇଁଥିବା ବେଳେ, ବିଶେଷକରି ନିଜ ପିଲାମାନଙ୍କୁ ଆଧ୍ୟାତ୍ମିକତା ଓ ଭକ୍ତିମାର୍ଗର କାହାଣୀ ଦେଖାଇବାକୁ ଚାହୁଁଥିବା ପିତାମାତାଙ୍କ ପାଇଁ ଏହା ଏକ ଶ୍ରେଷ୍ଠ ମାଧ୍ୟମ ପାଲଟିଛି। ବୀରେନ୍ ମିଶ୍ର, ବୁଲୁ ପଣ୍ଡା, ଆର୍.ଜେ କୋମଲ୍ ଏବଂ ଉଦ୍ଦୟନଙ୍କ ଭଳି ଲୋକପ୍ରିୟ ତଥା ବରିଷ୍ଠ କଣ୍ଠଶିଳ୍ପୀଙ୍କ ସ୍ୱରଦାନ ଚରିତ୍ରଗୁଡ଼ିକୁ ଭାବପୂର୍ଣ୍ଣ କରି ଜୀବନ୍ତ କରିଛି। ଏହାର ହୃଦୟସ୍ପର୍ଶୀ ପୃଷ୍ଠଭୂମି ସଙ୍ଗୀତ ଓଡ଼ିଆ ଦର୍ଶକଙ୍କୁ ବିଶେଷ ଭାବରେ ଆକୃଷ୍ଟ କରୁଛି। ଉଚ୍ଚକୋଟୀର କମ୍ପ୍ୟୁଟର ଗ୍ରାଫିକ୍ସ ଏବଂ କଳ୍ପନାପ୍ରସୂତ ଦୃଶ୍ୟାବଳୀ ଏହାକୁ ଏକ ଉତ୍କୃଷ୍ଟ ପାରିବାରିକ ଚଳଚ୍ଚିତ୍ରରେ ପରିଣତ କରିପାରିଛି।