ରାମ ଦରବାରରେ ବନ୍ଦ ହେଲା ଭିଆଇପି ଦର୍ଶନ ବ୍ୟବସ୍ଥା, ସମସ୍ତଙ୍କ ପାଇଁ ଗୋଟିଏ ନିୟମ
ରାମ ଭକ୍ତଙ୍କ ପାଇଁ ଖୁସି ଖବର । ଅଯୋଧ୍ୟା ରାମମନ୍ଦିରରେ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଧ୍ୟାନରେ ରଖି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ରାମ ଦରବାର ଦର୍ଶନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ କରାଯାଇଛି । ଏବେ ରାମମନ୍ଦିର ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସ୍ୱତନ୍ତ୍ର ପାସର ଆବଶ୍ୟକତା ନାହିଁ ।
ନୂଆ ବ୍ୟବସ୍ଥାରେ ଶ୍ରଦ୍ଧାଳୁ ପ୍ରଥମେ ଧାଡ଼ିରେ ଯାଇ ରାମଲାଲାଙ୍କ ଦର୍ଶନ କରିପାରିବେ । ଏହାପରେ ସିଧା ମନ୍ଦିରର ପ୍ରଥମ ମହଲାରେ ଥିବା ରାମ ଦରବାରର ଦର୍ଶନ ବି କରିପାରିବେ । କିଛି ଅତିରିକ୍ତ ଅନୁମତି ବା ସ୍ୱତନ୍ତ୍ର ପାସର ଆବଶ୍ୟକତା ପଡ଼ିବ ନାହିଁ ।
ରାମ ଦରବାର ଦର୍ଶନ ପାଇଁ ଯେଉଁ ସୀମିତ ସ୍ୱତନ୍ତ୍ର ପାସ୍ ଜାରି କରାଯାଉଥିଲା ତାହା ବନ୍ଦ କରିଦିଆଯାଇଛି । ଏହି କାରଣ ଯୋଗୁଁ ଅଧିକାଂଶ ଶ୍ରଦ୍ଧାଳୁଙ୍କ ଦର୍ଶନ ସୁବିଧା ମିଳିପାରୁନଥିଲା । ଟ୍ରଷ୍ଟ ତରଫରୁ ଏହି ପାସ୍ ପଦ୍ଧତିକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ନୂଆ ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଶ୍ରଦ୍ଧାଳୁଙ୍କ ପାଇଁ ଦର୍ଶନ ପଦ୍ଧତିକୁ ସରଳ, ସୁଗମ ଓ ସୁବିଧାଜନକ କରିବା । ଫଳରେ ଅଧିକରୁ ଅଧିକ ଭକ୍ତ ସହଜରେ ରାମ ଦରବାର ଦର୍ଶନ କରିପାରିବେ ।
ଅଯୋଧ୍ୟା ରାମମନ୍ଦିର ଭାରତର ସବୁଠାରୁ ପ୍ରମୁଖ ଧାର୍ମିକ ଓ ସାଂସ୍କୃତିକ ସ୍ଥାନମାନଙ୍କ ମଧ୍ୟରୁ ଅନ୍ୟତମ । ପ୍ରତିଦିନ ଦେଶ-ବିଦେଶରୁ ହଜାର ହଜାର ଭକ୍ତ ଏଠାକୁ ଦର୍ଶନ ପାଇଁ ଆସୁଛନ୍ତି । ଆଜି ଅଯୋଧ୍ୟା ରାମମନ୍ଦିର ଭାରତର ଧାର୍ମିକ ଐତିହ୍ୟ ଓ ସାଂସ୍କୃତିକ ଗୌରବର ଏକ ଉଜ୍ଜ୍ୱଳ ପ୍ରତୀକ ଭାବେ ସମଗ୍ର ବିଶ୍ୱରେ ପରିଚିତ ।