କାହିଁକି ଭାଇ ହାତରେ ରାକ୍ଷୀ ବାନ୍ଧେ ଭଉଣୀ, ଜାଣନ୍ତୁ କ’ଣ ରହିଛି ଏହା ପଛର ରହସ୍ୟ
ଭାଇ-ଭଉଣୀଙ୍କ ସ୍ନେହ, ବିଶ୍ୱାସ ଓ ସମ୍ପର୍କର ପ୍ରତୀକ ହେଉଛି ରାକ୍ଷୀ ପୂର୍ଣ୍ଣିମା । ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ଏହି ପର୍ବ ପାଳନ କରାଯାଏ । ଏହି ଦିନ ଭଉଣୀ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ଦୀର୍ଘ ଜୀବନ ଓ ସୁଖ-ସମୃଦ୍ଧି କାମନା କରିଥାଏ । ଭାଇ ମଧ୍ୟ ଭଉଣୀଙ୍କୁ ସବୁବେଳେ ସାଥ ଦେବା ଓ ସୁରକ୍ଷା କରିବାର ପ୍ରତିଶ୍ରୁତି ଦେଇଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି, ରାକ୍ଷୀ ପୂର୍ଣ୍ଣିମା ପଛରେ ରହିଛି ଅନେକ ପୌରାଣିକ କାହାଣୀ?ତେବେ ଆସନ୍ତୁ ଏହା ସମ୍ପର୍କରେ ଜାଣିବା ।
ପୌରାଣିକ କଥା ଅନୁସାରେ, ମହାଭାରତ ସହ ରାକ୍ଷୀର ଏକ ପ୍ରସିଦ୍ଧ ସମ୍ପର୍କ ରହିଛି । କୁହାଯାଏ, ଥରେ ଶ୍ରୀକୃଷ୍ଣଙ୍କ ହାତରେ ଆଘାତ ଲାଗିଥିଲା । ତାଙ୍କ ହାତରୁ ରକ୍ତ ବାହାରୁଥିବା ଦେଖି ଦ୍ରୌପଦୀ ନିଜ ଶାଢ଼ିରୁ କିଛି କପଡ଼ା ଚିରି ଶ୍ରୀକୃଷ୍ଣଙ୍କ ହାତରେ ବାନ୍ଧି ଦେଇଥିଲେ। ଦ୍ରୌପଦୀଙ୍କ ଏହି ସ୍ନେହ ଓ ଆତ୍ମୀୟତାକୁ ଶ୍ରୀକୃଷ୍ଣ ସବୁବେଳେ ମନେ ରଖିଥିଲେ। ପରେ ଦ୍ରୌପଦୀଙ୍କ ଉପରେ ସଙ୍କଟ ଆସିବା ସମୟରେ ଶ୍ରୀକୃଷ୍ଣ ତାଙ୍କୁ ସୁରକ୍ଷା ଦେଇଥିବା କଥା ମହାଭାରତରେ ପ୍ରସିଦ୍ଧ।
ରାକ୍ଷୀ ପୂର୍ଣ୍ଣିମା ସହ ଆଉ ଏକ ପୌରାଣିକ କାହାଣୀ ମଧ୍ୟ ଜଡ଼ିତ। କୁହାଯାଏ, ଦେବରାଜ ଇନ୍ଦ୍ର ଓ ଅସୁରମାନଙ୍କ ମଧ୍ୟରେ ଯୁଦ୍ଧ ସମୟରେ ଇନ୍ଦ୍ରଙ୍କ ପତ୍ନୀ ଶଚୀ ତାଙ୍କ ସ୍ୱାମୀଙ୍କ ହାତରେ ଏକ ପବିତ୍ର ସୂତା ବାନ୍ଧିଥିଲେ। ଏହି ପବିତ୍ର ସୂତା ଇନ୍ଦ୍ରଙ୍କୁ ଶକ୍ତି ଓ ସୁରକ୍ଷା ଦେବ ବୋଲି ବିଶ୍ୱାସ କରାଯାଉଥିଲା। ଏହା ପରେ ରକ୍ଷା ସୂତା ବାନ୍ଧିବାର ପରମ୍ପରା ସହ ଏହି ପର୍ବକୁ ଯୋଡ଼ାଯାଇଥିବା ମତ ରହିଛି।
ଆଉ ଏକ କାହାଣୀ ରାଜା ବଳି ଓ ମା’ ଲକ୍ଷ୍ମୀଙ୍କ ସହ ମଧ୍ୟ ଜଡ଼ିତ। ପୌରାଣିକ କଥା ଅନୁସାରେ, ଭଗବାନ ବିଷ୍ଣୁ ରାଜା ବଳିଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ତାଙ୍କ ନିକଟରେ ରହୁଥିଲେ । ଏହା ଦେଖି ମା’ ଲକ୍ଷ୍ମୀ ରାଜା ବଳିଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କୁ ନିଜ ଭାଇ ଭାବେ ଗ୍ରହଣ କରିଥିଲେ । ପରେ ସେ ଭଗବାନ ବିଷ୍ଣୁଙ୍କୁ ନିଜ ସହ ନେଇ ଆସିଥିବା କଥା ମଧ୍ୟ ରହିଛି ।
ରାକ୍ଷୀ ପୂର୍ଣ୍ଣିମା କେବଳ ରାକ୍ଷୀ ବାନ୍ଧିବା ଓ ଉପହାର ଦେବାର ପର୍ବ ନୁହେଁ। ଏହା ଭାଇ-ଭଉଣୀଙ୍କ ମଧ୍ୟରେ ଥିବା ଭଲପାଇବା, ସମ୍ମାନ ଓ ବିଶ୍ୱାସକୁ ଆହୁରି ମଜବୁତ କରିବାର ଏକ ସୁନ୍ଦର ଅବସର । ଏହି ଦିନ ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବା ସହ ତାଙ୍କର ମଙ୍ଗଳ କାମନା କରେ। ଭାଇ ମଧ୍ୟ ଭଉଣୀଙ୍କୁ ଭଲପାଇବା, ସମ୍ମାନ ଓ ସାଥ ଦେବାର ପ୍ରତିଶ୍ରୁତି ଦିଅନ୍ତି । ତେଣୁ ରାକ୍ଷୀ ପୂର୍ଣ୍ଣିମାର ଅସଲି ଅର୍ଥ ହେଉଛି ସମ୍ପର୍କରେ ଭଲପାଇବା, ପରସ୍ପର ପ୍ରତି ସମ୍ମାନ ଏବଂ ସୁଖ-ଦୁଃଖରେ ପରସ୍ପରର ସାଥୀ ହୋଇ ରହିବା ।