କାହିଁକି ସେପ୍ଟେମ୍ବର ୫ରେ ପାଳନ ହୁଏ ଗୁରୁ ଦିବସ?
ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ । ସ୍ୱାଧୀନ ଭାରତର ଦ୍ୱିତୀୟ ରାଷ୍ଟ୍ରପତି, ମହାନ ଶିକ୍ଷାବିତ୍ ଓ ଦାର୍ଶନିକ ଡ. ସର୍ବପଲ୍ଳୀ ରାଧାକ୍ରିଷ୍ଣନ୍ଙ୍କର ଏହା ଜନ୍ମଦିନ । ତେବେ ଏହା ଗୁରୁ ଦିବସ ଭାବେ କାହିଁକି ପାଳନ କରାଯାଏ, ତା’ର ରହିଛି ଏକ ସୁନ୍ଦର ଇତିହାସ । ରାଧାକ୍ରିଷ୍ଣନ ୧୯୬୨ ମସିହାରେ ଦେଶର ରାଷ୍ଟ୍ରପତି ଭାବେ ଶପଥ ନେଲେ । ତାଙ୍କର ଦେଶ ଓ ବିଦେଶରେ ଅନେକ ଛାତ୍ର ଥିଲେ । ସେମାନେ ଡ. ରାଧାକ୍ରିଷ୍ଣନଙ୍କ ଜନ୍ମଦିନକୁ ସେହିବର୍ଷ ସ୍ୱତନ୍ତ୍ର ଭାବେ ପାଳନ କରିବାକୁ ମନସ୍ଥ କଲେ । ସେମାନେ ଡ. ରାଧାକ୍ରିଣ୍ଣନଙ୍କୁ ଭେଟି ଏ ନେଇ ଅନୁମତି ମାଗିବାରୁ ଡ.ରାଧାକ୍ରିଷ୍ଣନ ସେମାନଙ୍କୁ ଭିନ୍ନ ଏକ ପରାମର୍ଶ ଦେଇଥିଲେ । ଏହାକୁ ତଙ୍କ ଜନ୍ମଦିନ ଭାବେ ପାଳନ ନ କରି ସମଗ୍ର ଗୁରୁ ଓ ଶିକ୍ଷକ ସମଜକୁ ସମ୍ମାନ କରିବାର ଦିନ ଭାବେ ପାଳନ କରିବାକୁ ସେ ନିଜର ସେହି ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ । ତାହା ହିଁ ହେଲା । ତାଙ୍କ ଛାତ୍ରମାନେ ଏହି ଦିବସକୁ ଗୁରୁ ପୂଜନ ଦିବସ ଭାବେ ପାଳନ କଲେ । ସେବେଠାରୁ ଏହାକୁ ଗୁରୁ ଦିବସ ଭାବେ ସାରା ଦେଶ ପାଳନ କରୁଛି ।