କ୍ଷମା ମାଗିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋିଷି ସୁନକ: ଜାଣନ୍ତୁ କାହିଁକି?

0

ନୂଆଦିଲ୍ଲୀ (ଆମ ଟିଭି): କ୍ଷମା ମାଗିଲେ ପ୍ରଧାନମନ୍ତ୍ରୀ । ଆମେ କହୁଛୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଋିଷି ସୁନକଙ୍କ କଥା । ଉତ୍ତର-ପଶ୍ଚିମ ଇଂଲଣ୍ଡର କୌଣସି ଏକ ସ୍ଥାନକୁ କାରରେ ବସି ଯିବା ବେଳେ ସାମାଜିକ ଗଣମାଧ୍ୟମ ପାଇଁ ଭିଡିଓ କ୍ଲିପଟିଏ ସୁଟିଙ୍ଗ୍ କରିବା ଅବସରରେ ସିଟ୍ ବେଲଟ୍ ଖୋଲି ପକାଇ ଭୁଲ୍ କରିଥିବା ସ୍ବୀକାର କରି ଗୁରୁବାର ଦିନ ବ୍ରିଟିସ୍ ପ୍ରଧାନମନ୍ତ୍ରୀ ଋଷି ସୁନକ କ୍ଷମା ଭିକ୍ଷା କରିଛନ୍ତି । ସୁନକଙ୍କ ଡାଉନିଙ୍ଗ୍ ଷ୍ଟ୍ରିଟ୍ ମୁଖପାତ୍ର କହିଛନ୍ତି, ସେ ଅଳ୍ପ ସମୟ ପାଇଁ ସିଟ୍ ବେଲଟ୍ ଖୋଲି ପକାଇ ଭୁଲ୍ କରିଥିବା କଥା ସ୍ବୀକାର କରିଛନ୍ତି ।

ପ୍ରଧାନମନ୍ତ୍ରୀ ସୁନକଙ୍କ ମୁଖପାତ୍ର କହିଛନ୍ତି, ଇଂଲଣ୍ଡର ଉତ୍ତରାଞ୍ଚଳ ଗସ୍ତ ସମୟରେ ସାମାଜିକ ଗଣମାଧ୍ୟମ ନିମନ୍ତେ ଭିଡିଓ କ୍ଲିପ୍ ସୁଟିଙ୍ଗ୍ କରିବା ଲାଗି ସେ ସ୍ବଳ୍ପ ସମୟ ପାଇଁ ସିଟ୍ ବେଲଟ୍ ଖୋଲି ପକାଇ ଭୁଲ୍ କରିଛନ୍ତି। ‘ପଲିଟିକୋ’ ରିପୋର୍ଟ ଅନୁସାରେ, ‘ଇନଷ୍ଟାଗ୍ରାମ୍’ ନିମନ୍ତେ ରେକର୍ଡ କରାଯାଇଥିବା ଉକ୍ତ କ୍ଲିପରେ ସୁନକ୍ ଚଳନ୍ତା ଗାଡ଼ିରେ ଯାଉଥିବା ବେଳେ ସୁରକ୍ଷା ଉପକରଣ ବିନା କ୍ୟାମେରା ସମ୍ମୁଖରେ କଥା କହୁଥିଲେ।

ବ୍ରିଟିସ୍ ଆଇନ ଅନୁସାରେ, ଗାଡ଼ି ଚାଲୁଥିବା ଅବସ୍ଥାରେ ସିଟ୍ ବେଲଟ୍ ନ ପିନ୍ଧିଥିଲେ ୫୦୦ ପାଉଣ୍ଡ୍ ପର୍ୟ୍ୟନ୍ତ ଜରିମାନା ଦେବାକୁ ପଡ଼େ । ଅବଶ୍ୟ ଜରୁରୀକାଳୀନ ସେବା ପ୍ରଦାନକାରୀ ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ଜରିମାନା ଛାଡ଼ କରାଯିବାର ବ୍ୟବସ୍ଥା ରହିଛି। ସରକାରୀ କାରରେ ଯାଉଥିବାରୁ ସୁନକଙ୍କୁ ଜରିମାନା ଛାଡ଼ କରାଯାଏ କି ବୋଲି ପଚାରିବାରୁ ମୁଖପାତ୍ର ସାମ୍ବାଦିକମାନଙ୍କୁ କହିଲେ, ଭୁଲ୍ ବଶତଃ ସେ ଏମିତି କରିପକାଇଛନ୍ତି ଓ ସେଥିପାଇଁ କ୍ଷମା ପ୍ରାର୍ଥନା ବି କରିଛନ୍ତି ।

Leave A Reply

Your email address will not be published.