ସମ୍ବଲପୁର ହିଂସା : ତଦନ୍ତ କରିବା ବିଜେପିର ୪ଜଣିଆ ଟିମ୍

0

ନୂଆଦିଲ୍ଲୀ : ହନୁମାନ ଜୟନ୍ତୀ ପୂର୍ବରୁ ସମ୍ବଲପୁରରେ ଘଟିଥିବା ବ୍ୟାପକ ହିଂସାକାଣ୍ଡର ତଦନ୍ତ ନିମନ୍ତେ ଏକ ୪ଜଣିଆ ଯାଞ୍ଚ ଟିମ୍‌ ଗଠନ କରିଛି ବିଜେପି। ଏହି ଟିମ୍‌ କ୍ଷେତ୍ର ପରିଦର୍ଶନ କରି ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବ ଓ ତାହାର ରିପୋର୍ଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ହସ୍ତାନ୍ତର କରିବ ।

ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି କମିଟି ଗଠନ କରିଛନ୍ତି। ଏହି କମିଟିରେ ଉତ୍ତର ପ୍ରଦେଶର ରାଜ୍ୟସଭା ସାଂସଦ ବ୍ରଜଲାଲ, ଝାଡ଼ଖଣ୍ଡ ରାଜ୍ୟସଭା ସାଂସଦ ସମୀର ଓରାଓଁ, ଆଦିତ୍ୟ ସାହୁ ତଥା ପଶ୍ଚିମବଙ୍ଗ ପୁରୁଲିୟାର ସାଂସଦ ଜ୍ୟୋର୍ତିମୟ ସିଂ ସଦସ୍ୟ ରହିଛନ୍ତି। ଯାଞ୍ଚ ଟିମ୍‌ ଘଟଣାସ୍ଥଳକୁ ଯାଇ ତନ ତନ ଯାଞ୍ଚ କରିବ, ଖବର ସଂଗ୍ରହ କରିବ ଓ ପରେ ନିଜ ରିପୋର୍ଟ ପ୍ରଦାନ କରିବ ।

କିଛି ଦିନ ପୂର୍ବେ ଓଡିଶାର ବିଜେପି ସଭାପତି ମନମୋହନ ସାମଲ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ସମ୍ବଲପୁରରେ ହୋଇଥିବା ହିଂସା ଘଟଣାର ଜାତୀୟ ଅନୁସନ୍ଧାନକାରୀ ଏଜେନ୍ସି (NIA ) ଦ୍ୱାରା ତଦନ୍ତ ଦାବି କରିଥିଲେ। ଏହି ଘଟଣାର ଷଡଯନ୍ତ୍ରକାରୀ ତଥା ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ସାମ୍ପ୍ରଦାୟିକ ହିଂସାକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଏହା ପଛରେ ଥିବା ଷଡଯନ୍ତ୍ରର ପର୍ଦ୍ଦାଫାସ କରିବାକୁ ଦାବି କରିଥିଲେ। ଓଡ଼ିଶାର ବହୁ ବିଜେପି ବିଧାୟକ ତଥା ସାଂସଦ ମଧ୍ୟ ମନମୋହନ ସାମଲଙ୍କ ଦାବିକୁ ସମର୍ଥନ ଜଣାଇଥିଲେ।

ସୂଚନାଯୋଗ୍ୟ, ଗତ ୧୪ ତାଖରେ ହନୁମାନ ଜୟନ୍ତୀ ପଡ଼ିଥିବା ବେଳେ ଏହାର ୨ ଦିନ ପୂର୍ବରୁ ଏକ ବାଇକ୍‌ ରାଲି ଉପରକୁ ସଂଘବଦ୍ଧ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ବହୁ ସଂଖ୍ୟାରେ ସାଧାରଣ ଜନତାଙ୍କ ସମେତ ପୁଲିସ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏପରିକି ବ୍ୟାପକ ମାତ୍ରାରେ ଦୋକାନ ବଜାର, ଯାନବାହନ, ସରକାରୀ ଓ ବେସରକାରୀ ସଂପତ୍ତି ପୋଡ଼ି ଦିଆଗଲା । ଜଣେ ଆଦିବାସୀ ଯୁବକକୁ ହତ୍ୟା କରାଗଲା ।

Leave A Reply

Your email address will not be published.