ଆଜିଠୁ ପୁଣି ଗଣତି ମଣତି ଆରମ୍ଭ, ୪୬ ବର୍ଷ ପରେ ଖୋଲିବ ରତ୍ନଭଣ୍ଡାର ରହସ୍ୟ

0

ଆଜିଠୁ ପୁଣି ରତ୍ନଭଣ୍ଡାର ଗଣତି ମଣତି। ପୁରୀ ଶ୍ରୀମନ୍ଦିର ଭିତର ରତ୍ନ ଭଣ୍ଡାର ଗଣତିମଣତି କରାଯିବ। ଆଜି ଓ ଆସନ୍ତାକାଲି ମହାପ୍ରଭୁଙ୍କ ଦୁର୍ମୂଲ୍ୟ ରତ୍ନ ଅଳଙ୍କାରର ଗଣତି ଓ ମୂଲ୍ୟାୟନ କରାଯିବ । ଖୋଲିବ ୩ଟି କାଠ ସିନ୍ଦୁକ । ୧୯୭୮ ମସିହାର ତାଲିକା ସହ କରାଯିବ ମେଳ। ଭିତର ରତ୍ନଭଣ୍ଡାରର ଅବଶିଷ୍ଟ ଅଳଙ୍କାରର ଗଣତି ମଣତି ଉପରେ ଏଥର ଗୁରୁତ୍ୱ ଦିଆଯିବ। ଭିତର ରତ୍ନଭଣ୍ଡାରର ତିନୋଟି କାଠ ସିନ୍ଦୁକରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି ବାକି ରହିଛି । ସ୍ଥାନାଭାବ ଯୋଗୁଁ ଖଟଶେଜ ଘରେ ଏହି ଗଣତି ମଣତି କରାଯିବାର ସମ୍ଭାବନା ରହିଛି । ତିନୋଟି ସିନ୍ଦୁକରେ କେଉଁ ସବୁ ଦୁର୍ମୂଲ୍ୟ ରତ୍ନ ଅଳଙ୍କାର ରହିଛି, ତାହା ଜାଣିବା ପାଇଁ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଛି ।

୨୦୨୬ ମସିହା ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିବା ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଏକାଧିକ ପର୍ଯ୍ୟାୟରେ ଚାଲିଛି । ଏପର୍ଯ୍ୟନ୍ତ ୧୭ ଦିନରେ ମୋଟ ୯୩ ଘଣ୍ଟା ୫୧ ମିନିଟ୍ ଧରି ଗଣତି ମଣତି କରାଯାଇଛି । ଶେଷଥର ପାଇଁ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ଗଣତି ମଣତି ହୋଇଥିଲା । ପବିତ୍ର କାର୍ତ୍ତିକ ମାସ ପାଇଁ ଏହି ପ୍ରକ୍ରିୟାକୁ ସ୍ଥଗିତ ରଖାଯାଇଥିଲା । ଦୀର୍ଘ ୪୬ ବର୍ଷ ପରେ ୨୦୨୪ ଜୁଲାଇ ୧୪ ତାରିଖରେ ଖୋଲାଯାଇଥିଲା ଭିତର ରତ୍ନଭଣ୍ଡାର । ଏହା ପୂର୍ବରୁ ୧୯୭୮ ମସିହାରେ ରତ୍ନଭଣ୍ଡାରର ବିସ୍ତୃତ ଗଣତି ମଣତି ହୋଇଥିଲା । ବର୍ତ୍ତମାନ ଗଣତି ହେଉଥିବା ରତ୍ନ ଅଳଙ୍କାରଗୁଡ଼ିକୁ ୧୯୭୮ ମସିହାର ତାଲିକା ସହ ମେଳ କରାଯାଉଛି । ମୂଲ୍ୟବାନ ରତ୍ନପଥରର ଚିହ୍ନଟ ଓ ମୂଲ୍ୟାୟନ ପାଇଁ ଅଭିଜ୍ଞ ରତ୍ନ ବିଶେଷଜ୍ଞଙ୍କ ସହାୟତା ନିଆଯିବ ।

ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ସବିଶେଷ ତଥ୍ୟ ସଂରକ୍ଷଣ ପାଇଁ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସହାୟତା ନିଆଯାଉଛି । ଫଟୋଗ୍ରାଫି, ଭିଡିଓଗ୍ରାଫି ଓ ଥ୍ରିଡି ମ୍ୟାପିଂ ମାଧ୍ୟମରେ ଅଳଙ୍କାରଗୁଡ଼ିକର ଦସ୍ତାବିଜ ପ୍ରସ୍ତୁତ କରାଯାଉଛି । ସମସ୍ତ ରତ୍ନ ଅଳଙ୍କାରର ଏକ ବିସ୍ତୃତ ଡିଜିଟାଲ କାଟାଲଗ୍ ପ୍ରସ୍ତୁତ କରାଯାଉଛି । ଗଣତି ମଣତି ପାଇଁ ଦୁଇ ଦିନ ଧରି ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ଯେପରି ପ୍ରଭାବିତ ନହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍ ଓପି ଅନୁଯାୟୀ ସମ୍ପୂର୍ଣ୍ଣ ପ୍ରକ୍ରିୟା ପରିଚାଳିତ ହେବ । ଆସନ୍ତାକାଲି ସୁଦ୍ଧା ଅବଶିଷ୍ଟ ରତ୍ନ ଅଳଙ୍କାରର ଗଣତି ମଣତି ଶେଷ ହେବ କି ନାହିଁ, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଗଣତି ମଣତି ଶେଷ ନହେଲେ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପୁଣି ଦିନ ଧାର୍ଯ୍ୟ କରାଯାଇପାରେ ।

Leave A Reply

Your email address will not be published.