ପୁରୀରେ ନିର୍ମାଣ ହେବ ବିହାର ଭବନ

0

ଭୁବନେଶ୍ୱର: ପୁରୀରେ ବିହାର ସରକାର ନିର୍ମାଣ କରିବେ ବିହାର ଭବନ। ଏଥିପାଇଁ ଓଡ଼ିଶା ସରକାର ମାଗଣାରେ ଯୋଗାଇ ଦେବେ ଦେଢ଼ ଏକର ଜମି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଏହି ଘୋଷଣା କରିଛନ୍ତି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଥିଲେ। ଉଭୟଙ୍କ ମଧ୍ୟରେ ସେଠାରେ ବେଶ୍ କିଛି ସମୟ ଧରି ଆଲୋଚନା ହୋଇଥିଲା। ଦୁଇ ମୁଖ୍ୟମନ୍ତ୍ରୀ ସାଙ୍ଗ ହୋଇ ଭୋଜନ ମଧ୍ୟ କରିଥିଲେ। ଏହା ପରେ ନୀତୀଶ ‘ନବୀନ ନିବାସ’ରୁ ବିଦାୟ ନେବା ପୂର୍ବରୁ ଗଣମାଧ୍ୟମ ସମ୍ମୁଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିହାର ଭବନ ପାଇଁ ଜମି ଯୋଗାଇ ଦିଆଯିବା କଥା ଘୋଷଣା କରିଥିଲେ।

ନବୀନ କହିଥିଲେ, ନୀତୀଶ ଜୀ ଭୁବନେଶ୍ୱର ଆସିଥିବାରୁ ମୁଁ ବହୁତ ଖୁସି। ଆମେ ଦୁହେଁ ପୁରୁଣାବନ୍ଧୁ। ଏକାଠି କାମ କରିଛୁ। ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟରେ ଆମେ ଦୁହେଁ ମନ୍ତ୍ରୀ ଥିଲୁ। ପୁରୀରେ ବିହାର ଭବନ ନିର୍ମାଣ ନିମନ୍ତେ ଜମି ଦେବା ବିଷୟରେ ଆମେ ଆଲୋଚନା କଲୁ। ଶ୍ରୀଜଗନ୍ନାଥ ଧାମ ପୁରୀକୁ ବିହାରରୁ ଆସୁଥିବା ଲୋକଙ୍କ ରହଣି ପାଇଁ ସେଠାରେ ବିହାର ଭବନ ନିର୍ମାଣ ପାଇଁ ତାଙ୍କ ସରକାର ଇଚ୍ଛା ପ୍ରକାଶ କରିଥିଲେ। ଆମେ ତାଙ୍କୁ ବିହାର ଭବନ ନିର୍ମାଣ ପାଇଁ ମାଗଣାରେ ଦେଢ଼ ଏକର ଜମି ଯୋଗାଇ ଦେବୁ। ଆମ ମଧ୍ୟରେ ଆଜି କୌଣସି ପ୍ରକାର ମେଣ୍ଟ ନେଇ କିଛି ଆଲୋଚନା ହୋଇନାହିଁ ବୋଲି ନବୀନ କହିଥିଲେ।

Leave A Reply

Your email address will not be published.