ଭୁବନେଶ୍ୱର ରେଳ ଷ୍ଟେସନର ହେବ ନବକଳେବର, ଟେଣ୍ଡର ଆହ୍ୱାନକଲା ପୂର୍ବତଟ ରେଳପଥ
ଭୁବନେଶ୍ୱର(ଆମ ଟିଭି): ଓଡ଼ିଶାରୁ ସାଂସଦ ହୋଇ ଅଶ୍ୱିନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରେ ଓଡ଼ିଶାରେ ରେଳସେବାକୁ ମିଳୁଛି ପ୍ରଭୁତ୍ୱ ଗୁରୁତ୍ୱ । ଏହି କ୍ରମରେ ବୁଧବାର ଭୁବନେଶ୍ୱର ରେଳ ଷ୍ଟେସନର ନବକଳେବର ନେଇ ଟେଣ୍ଡର ଆହ୍ୱାନ କରାଯାଇଛି । ପୂର୍ବତଟ ରେଳପଥ ଏହି ଟେଣ୍ଡର ଆହ୍ୱାନ କରିଛି । ପ୍ରାଥମିକ ପର୍ୟ୍ୟାୟରେ ଭୁବନେଶ୍ୱର ଷ୍ଟେସନର ବିକାଶ ନେଇ ୨୭୫ କୋଟି ୯୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି । ୨୪ ମାସ ମଧ୍ୟରେ କାମ ଶେଷ କରିବାକୁ କୁହାଯାଇଛି । ଟେଣ୍ଡର ଦାଖଲର ଶେଷ ତାରିଖ ଜୁଲାଇ ୮ ତାରିଖ ରହିଛି ।
ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ ପାଇଁ ରେଳ ମନ୍ତ୍ରଣାଳୟ ଓ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା । ଉଭୟଙ୍କ ମଧ୍ୟରେ ବାରମ୍ବାର ବୈଠକ ପରେ ବି କାମ ଆଗେଇ ପାରିଲାନି । ତେଣୁ ଏବେ ରେଳ ଷ୍ଟେସନର ବିକାଶ କାର୍ୟ୍ୟ ରେଳ ବିଭାଗ କରିବ । ଷ୍ଟେସନର ପାରିପାଶ୍ୱିର୍କ ବିକାଶ ବିଡିଏ କରିବ ବୋଲି ବୁଝାମଣା ହୋଇଛି । ଗତ ଫେବ୍ରୁଆରୀରେ ରେଳ ମନ୍ତ୍ରୀ ଓଡ଼ିଶା ଗସ୍ତ ବେଳେ ଭୁବନେଶ୍ୱର ରେଳ ଷ୍ଟେସନର ବିକାଶ କାର୍ୟ୍ୟ ତୁରନ୍ତ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।