ଓଡ଼ିଶାରେ କ୍ୟାନସର ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି
ଭୁବନେଶ୍ୱର: ରାଜ୍ୟରେ କର୍କଟ ରୋଗୀମାନଙ୍କୁ ଅଧିକ ବ୍ୟାପକ, ସମୟୋପଯୋଗୀ ଓ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ଦିଗରେ ଓଡ଼ିଶା ସରକାର ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କ୍ୟାନସର କେୟାର ଅଭିଯାନ’ ଅଧୀନରେ ଥିବା ଅତିରିକ୍ତ ୯୧ଟି କ୍ୟାନସର ଚିକିତ୍ସା ପ୍ୟାକେଜକୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏ.ବି.ପି.ଏମ୍.ଜେ.ଏ.ୱାଇ.) ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା (ଜି.ଜେ.ଏ.ୱାଇ.)ରେ ସାମିଲ କରାଯାଇଛି।
ଏହି ନୂତନ ପଦକ୍ଷେପ ଫଳରେ ରାଜ୍ୟର କ୍ୟାନସର ରୋଗୀମାନେ ଅଧିକ ସଂଖ୍ୟକ ଜଟିଳ ଚିକିତ୍ସା ସେବା ସମ୍ପୂର୍ଣ୍ଣ ଦେୟମୁକ୍ତ ଭାବେ ପାଇପାରିବେ। ଏ ନେଇ ମାନ୍ୟବର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି ଯେ, “ରାଜ୍ୟରେ ଆଉ କ୍ୟାନସର ରୋଗୀ ହନ୍ତସନ୍ତ ହେବେନି, ଗୁଣାତ୍ମକ ଓ ଦେୟମୁକ୍ତ ସୁପର ସ୍ପେସାଲିଟି ଚିକିତ୍ସା ପାଇବେ ରାଜ୍ୟର ହିତାଧିକାରୀ।”