ନୂଆଦିଲ୍ଲୀ (ଆମ ଟିଭି): କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ହେଉ ହେଉ ଆକ୍ସନ ମୁଡରେ କର୍ଣ୍ଣାଟକ ସରକାର । ଆଜି ରାଜ୍ୟର ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ନେଇ ଏକ ବୈଠକ ହୋଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଉପସ୍ଥିତ ଥିଲେ। ଏଥିରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ବିଭିନ୍ନ ପ୍ରସଙ୍ଗ ନେଇ ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ଉପରେ ଖୁବ୍ ବର୍ଷିଥିଲେ। ଆଉ ପୁଲିସ ଅଧିକାରୀମାନଙ୍କୁ ସେମାନଙ୍କ ବ୍ୟକ୍ତିତ୍ୱ ଓ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ସେ ଚେତାବନୀ ଦେଇଥିଲେ।
ବିଜେପି ଶାସନ ସମୟରେ ରାଜ୍ୟରେ ଘଟିଥିବା କିଛି ଘଟଣାର ଉଦାହରଣ ଦେଇ ଡିକେ ଶିବକୁମାର ଉପସ୍ଥିତ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ କହିଥିଲେ, ଆପଣମାନେ ପୁଲିସ ବିଭାଗର ଗୈରିକିକରଣ କରିବାକୁ ଚାହୁଁଛନ୍ତି କି? ଆମ ସରକାର ତାହା କରିବାକୁ ଦେବ ନାହିଁ। ମୁଁ ଜାଣିଛି, ଆପଣମାନେ କିଭଳି ମାଙ୍ଗାଲୋର, ବିଜାପୁର ଓ ବାଗଲକୋଟରେ ଗେରୁଆ ବସ୍ତ୍ର ପିନ୍ଧି ପୁଲିସ ବିଭାଗକୁ ଅପମାନିତ କରିଥିଲେ। ଯଦି ଆପଣମାନଙ୍କର ଦେଶ ପ୍ରତି ସମ୍ମାନ ଥାଏ, ତା’ହେଲେ ତ୍ରିରଙ୍ଗା ପତାକା ସହିତ ରହି କାମ କରନ୍ତୁ। ରାଜ୍ୟରେ ପୁଲିସ୍ ସବ୍-ଇନ୍ସପେକ୍ଟର ନିଯୁକ୍ତି ଦୁର୍ନୀତି କଥା ଉଠାଇ ଶିବକୁମାର କହିଥିଲେ ଯେ ପୁଲିସ ବିଭାଗ କେତେ ଖରାପ, ତାହା ଏଥିରୁ ପ୍ରମାଣିତ ହେଉଛି।