ଭାରତର ଜଳବାୟୁ ପରିବର୍ତ୍ତନକୁ ନେଇ ଉଦବେଗ ପ୍ରକାଶ କଲା;ୟୁଏନଇପି
- କୋଏମ୍ବାଟୁର: ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍ଇପି)ର ନିର୍ବାହୀ ନିର୍ଦ୍ଦେଶକ ଏରିକ ସୋଲହେମ କହିଛନ୍ତି ଯେ, ଜନସଂଖ୍ୟା ବିସ୍ଫୋରଣ ଯୋଗୁ ଜଳବାୟୁ ପରିର୍ତ୍ତନ ଦ୍ବାରା ଭାରତ ବିଶେଷ ପ୍ରଭାବିତ ହେବ। ଜଳବାୟୁ କାର୍ଯ୍ୟାନୁଷ୍ଠାନ ଉପରେ ୱାଇ୨୦ ଭାଷଣ ଅବସରରେ ସୋଲହେମ କହିଛନ୍ତି, ଜଳବାୟୁ ପରିବର୍ତ୍ତନର ପ୍ରଭାବ ସାରା ବିଶ୍ବରେ ଦେଖିବାକୁ ମିଳୁଛି। କିନ୍ତୁ ଅନ୍ୟ ଦେଶ ଅପେକ୍ଷା ଭାରତ ଏହାଦ୍ବାରା ବେଶି ପ୍ରଭାବିତ ହେବ କାରଣ ଭାରତର ଜନସଂଖ୍ୟା ବିଶ୍ବରେ ସର୍ବାଧିକ। ୟୁଥ୍ ୨୦ (ୱାଇ୨୦) ହେଉଛି ଜି୨୦ ଦେଶଗୁଡ଼ିକର ଏକ ଅଫିସିଆଲ କନସଲ୍ଟେସନ ଫୋରମ, ଯେଉଁଥିରେ ଯୁବବର୍ଗ ପରିବେଶ ଉପରେ ପରସ୍ପର ସହ ବାର୍ତ୍ତାଳାପ କରିବାର ସୁଯୋଗ ପାଇଥାନ୍ତି।
ଜାତିସଂଘ ନିର୍ବାହୀ ନିର୍ଦ୍ଦେଶକ କହିଛନ୍ତି ଯେ ଭାରତ ସମ୍ପ୍ରତି ଅନେକ ପାରିବେଶିକ ସମସ୍ୟାର ସମ୍ମୁଖୀନ ହେଉଛି। ଭାରତର ଜନସଂଖ୍ୟା ବର୍ତ୍ତମାନ ବିଶ୍ବରେ ସର୍ବାଧିକ। ମାତ୍ରାଧିକ ଜନସଂଖ୍ୟା ଯୋଗୁ ଦିଲ୍ଲୀ ପରି ଉତ୍ତରଭାରତୀୟ ସହରଗୁଡ଼ିକ ଅଧିକ ପ୍ରଦୂଷିତ ହୋଇପଡ଼ିଛି। ଜଳବାୟୁ ପରିବର୍ତ୍ତନ ଦ୍ବାରା ଆମେରିକା ଅପେକ୍ଷା ଭାରତ ବେଶି ପ୍ରଭାବିତ ହେବ। ଆମେରିକା ଓ ଭାରତ ଏବେ ପ୍ରାକୃତିକ କ୍ଷୟ, ଜଙ୍ଗଲ ଧ୍ବଂସ, ଅନେକ ପ୍ରାଣୀଙ୍କ ବଂଶଲୋପ ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ ମାତ୍ରାଧିକ ଜନସଂଖ୍ୟା ଯୋଗୁ ଭାରତ ଅଧିକ ବିପର୍ଯ୍ୟୟର ସମ୍ମୁଖୀନ ହେବ। ଏଣୁ ଭାରତକୁ ଜଳବାୟୁ ସୁରକ୍ଷା ଲାଗି ଅଧିକ ପ୍ରଯତ୍ନ କରିବାକୁ ହେବ ବୋଲି ସେ କହିଛନ୍ତି।