ପୁଣି ଖାଉଟିଙ୍କୁ ମାହାଙ୍ଗା ମାଡ

0

ନୂଆଦିଲ୍ଲୀ :ଏବେ ପନିପରିବାର ଆକାଶ ଛୁଆଁ ଦର ଲୋକଙ୍କୁ ଘାଇଲା କରୁଥିବା ବେଳେ ପୁଣି ଥରେ ଗରାଖଙ୍କ ଉପରେ ବାଜିଛି ମହଙ୍ଗା ଛାଟ। ବଢ଼ିଛି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ । ଆଜି ସକାଳୁ କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦାମ ୭ ଟଙ୍କା ବଢ଼ିଛି। ତେବେ ଘରୋଇ ଗ୍ୟାସ୍ ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି।

ନୂଆ ରେଟ୍‌ ଲାଗୁ ହେବା ପରଠୁ ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦର ପୂର୍ବରୁ ୧୭୭୩ ଥିବା ବେଳେ ଆଜି ନୂଆ ଦର ଅନୁଯାୟୀ ୧୭୮୦ ଟଙ୍କା ହୋଇଛି। କୋଲକତାରେ ୧୯ କେଜି କମର୍ସିଆଲ ଗ୍ୟାସ୍‌ ଦାମ ୧୮୭୫.୫୦ ଟଙ୍କାରୁ ବଢ଼ି ୧୮୮୨.୫୦ ଟଙ୍କାରେ ପହଞ୍ଚିଛି। ଏହାବାଦ ମୁମ୍ବାଇରେ ଏହାର ଦାମ ୧୭୨୫ ଟଙ୍କାରୁ ୧୭୩୨ ଟଙ୍କାରେ ପହଞ୍ଚିଛି । ଚେନ୍ନାଇରେ ଏହାର ଦାମ ପୂର୍ବରୁ ୧୯୩୭ ଟଙ୍କା ଥିବା ବେଳେ ଏବେ ତାହା ୧୯୪୪ ଟଙ୍କା ହୋଇଛି।

ଶେଷ ଥର ମାର୍ଚ୍ଚ ମାସରେ କମର୍ସିଆଲ ଗ୍ୟାସ୍‌ ଦାମ ଲମ୍ବା ଡିଆଁ ମାରିଥିଲା । ସେତେବେଳେ ଏହି ଗ୍ୟାସ୍‌ ଦାମ ୩୫୦.୫୦ ଟଙ୍କା ବଢ଼ିଥିଲା। ଏହାପରେ ଗତ ୨ ମାସ ହେଲା ତେଲ କମ୍ପାନୀମାନଙ୍କ ପକ୍ଷରୁ କମର୍ସିଆଲ ଗ୍ୟାସ୍‌ ଦର କମ୍‌ ହେଉଥିବା ବେଳେ ଆଜି ତାହା ବଢ଼ିଛି। ଗତ ଜୁନ୍‌ ୧ ତାରିଖରେ କମର୍ସିଆଲ ସିଲିଣ୍ଡର ଦାମ୍‌ ୮୩.୫ ଟଙ୍କା ଶସ୍ତା କରାଯାଇଥିଲା। ଏହା ପୂର୍ବରୁ ମେ’ ପହିଲାରେ ଏହି ଗ୍ୟାସ୍‌ ଦାମ ୧୭୨ ଟଙ୍କା କମ୍‌ ହୋଇଥିଲା।

କିନ୍ତୁ ଘରୋଇ ୧୪ କେଜି ସିଲିଣ୍ଡର ଦାମରେ କୌଣସି ପରିବର୍ତ୍ତନ ହୋଇ ନ ଥିବା ଜଣାଯାଇଛି। ଘରୋଇ ଗ୍ୟାସ୍‌ ସିଲିଣ୍ଡର ଦାମ ଶେଷ ଥର ମାର୍ଚ୍ଚ ପହିଲାରେ ୫୦ ଟଙ୍କା ବଢ଼ିଥିଲା।

Leave A Reply

Your email address will not be published.