ନୂଆଦିଲ୍ଲୀ(ଆମ ଟିଭି): ପଶ୍ଚିମବଙ୍ଗରେ ସକାଳୁ ସକାଳୁ ଏକ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ହୁତୁ ହୁତୁ ହୋଇ ଜଳିଯାଇଛି ଗୋଦାମ୍ । ନିଆଁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀଙ୍କୁ ନାକେଦମ୍ ହେବାକୁ ପଡ଼ିଛି । ଦମକଳ ବାହିନୀର ୧୧ଟି ଗାଡ଼ି ମୁତୟନ ହୋଇଛନ୍ତି । ହାୱଡାର ସଙ୍କରେଲ ଇଣ୍ଡଷ୍ଟ୍ର୍ରିଆଲ ପାର୍କରେ ଥିବା ଏହି ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଖାଇବା ତେଲ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । କୋଟି କୋଟି ଟଙ୍କାର ସମ୍ପତି ଜଳିଯାଇଥିବା ସୂଚନା ମିଳିଛି ।
ଅଗ୍ନିଶମ କର୍ମଚାରୀଙ୍କ ଦୀର୍ଘ ଘଂଟାର ପରିଶ୍ରମପରେ ବି ଏଯାଏଁ ନିଆଁକୁ ସମ୍ପୂର୍ଣ୍ଣ ଭାବେ ଆୟତ କରାଯାଇ ପାରିନାହିଁ । ନିଆଁ ଲାଗିଥିବା ଗୋଦାମ ଶିଳ୍ପାଞ୍ଚଳରେ ଥିବାରୁ ଆଖପାଖରେ ଅନେକ ଇଣ୍ଡଷ୍ଟ୍ରି ଓ ଗୋଦାମ ରହିଛି । ତେବେ ଏହି ଅଂଚଳରେ ନିଆଁ ଯେମିତି ନବ୍ୟାପେ ସେଥିପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି । ଅଗ୍ନିଶମ ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ତେବେ ଗୋଦାମରେ ଥିବା କୋଟି କୋଟି ଟଙ୍କାର ସାମଗ୍ରୀ ଛାରଖାର ହୋଇଯାଇଛି ।