ମହୁଆଙ୍କୁ ଝଟକା
ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ଅଭିଯୋଗରେ ଫସିଥିବା ସାଂସଦ ମହୁଆ ମୋଇତ୍ରାଙ୍କ ଆବେଦନ ଖାରଜ ହୋଇଛି। ତାଙ୍କୁ ଲୋକସଭାର ଏଥିକ୍ସ କମିଟି ନିକଟରେ ନଭେମ୍ବର ୨ରେ ହାଜର ହେବାକୁ କୁହାଯାଇଛି। ପୂର୍ବରୁ କମିଟି ତାଙ୍କୁ ଅକ୍ଟୋବର ୩୧ରେ ହାଜର ହେବାକୁ କହିଥିଲା।
କିନ୍ତୁ ମହୁଆ ସମୟସୀମା ବୃଦ୍ଧି କରିବା ପାଇଁ ଆବେଦନ କରିଥିଲେ। ୩୧ ବଦଳରେ ସେ ନଭେମ୍ବର ୫ ପରେ ହାଜର ହେବେ ବୋଲି କହିଥିଲେ। କିନ୍ତୁ କମିଟି ତାଙ୍କ ଆବେଦନକୁ ଖାରଜ କରି ଦେଇଛି। ତାଙ୍କୁ ନଭେମ୍ବର ୨ରେ ହାଜର ହେବାକୁ କୁହାଯାଇଛି। ଏହାପରେ ଆଉ ସମୟସୀମାକୁ ବୃଦ୍ଧି କରାଯିବ ନାହିଁ ବୋଲି ମଧ୍ୟ କମିଟି ମହୁଆଙ୍କୁ ରୋକଠୋକ ଶୁଣାଇ ଦେଇଛି।
ଲାଞ୍ଚ ନେଇ ପ୍ରଶ୍ନ ପଚାରିବା ଅଭିଯୋଗର ତଦନ୍ତ କରୁଥିବା ଏଥିକ୍ସ କମିଟିକୁ ଶୁକ୍ରବାର ମହୁଆ ଚିଠି ଲେଖିଥିଲେ। ଏଥିରେ ସେ ୩୧ ତାରିଖରେ ହାଜର ହୋଇପାରିବେ ନାହିଁ ବୋଲି କହିଥିଲେ। ନଭେମ୍ବର ୪ ଯାଏ ସାଂସଦ ଭାବେ ତାଙ୍କର କିଛି କାମ ରହିଛି। ତେଣୁ ନଭେମ୍ବର ୫ ପରେ ସେ ପକ୍ଷ ରଖିବାକୁ ଉପଲବ୍ଧ ହେବେ।
ଚିଠି ପାଇବା ପରେ ଏଥିକ୍ସ କମିଟି ପଚରାଉଚରା ସମୟସୀମାକୁ ୩ ଦିନ ବୃଦ୍ଧି କରିଛି। ମହୁଆଙ୍କୁ ନଭେମ୍ବର ୨ରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏବେ ମହୁଆ କ’ଣ ପଦକ୍ଷେପ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।