ଆଇପିଏଲ-୨୦୨୪: ରୋଭମାନ ପାୱେଲଙ୍କୁ ୭.୪୦ କୋଟିରେ କିଣିଲା ରାଜସ୍ଥାନ ରୟାଲ୍ସ
ନୂଆଦିଲ୍ଲୀ: ଚାଲିଛି ଆଇପିଏଲ-୨୦୨୪ ପାଇଁ ନିଲାମ । ବଡ଼ ବଡ଼ ଖେଳାଳୀଙ୍କୁ କିଣିବା ପାଇଁ ଚାଲିଛି ମୂଲଚାଲ । ଏହାରି ଭିତରେ ପ୍ରଥମ ଧନୀ ଖେଳାଳୀ ଭାବେ ରୋଭମାନ ପାୱେଲଙ୍କୁ କିଣିଛି ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ରୟାଲ୍ସ ରୋଭମାନ ପାୱେଲଙ୍କୁ ୭.୪୦ କୋଟି ଟଙ୍କା ମୂଲ୍ୟରେ ନିଜ ଦଳରେ ସାମିଲ କରିଛି । ପାୱେଲଙ୍କ ମୂଳ ମୂଲ୍ୟ ଥିଲା ୧ କୋଟି ଟଙ୍କା। ପୂର୍ବ ସିଜିନରେ ପାୱେଲ ଦିଲ୍ଲୀ କ୍ୟାପିଟାଲ ଦଳ ତରଫରୁ ଖେଳିଥିଲେ । ଦିଲ୍ଲୀ କ୍ୟାପିଟାଲ ଟିମ୍ ୨୦୨୩ ମସିହାରେ ୨.୮୦ କୋଟି ଟଙ୍କାରେ ପାଓ୍ୱେଲଙ୍କୁ କିଣିଥିଲା। କିନ୍ତୁ ୨୦୨୪ ଆଇପିଏଲ ପୂର୍ବରୁ ଦିଲ୍ଲୀ ତାଙ୍କୁ ମୁକ୍ତ କରିଥିଲା। ବର୍ତ୍ତମାନ ରାଜସ୍ଥାନ ତାଙ୍କ ଉପରେ ଏକ ବଡ ବିଡ୍ ରଖି ତାଙ୍କୁ ନିଜ କ୍ୟାମ୍ପରେ ସାମିଲ୍ କରିଛି ।
ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ୨୦୨୩ ମସିହାରେ ଦିଲ୍ଲୀ ପାଇଁ ମାତ୍ର ତିନୋଟି ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ସେ ବ୍ୟାଟିଂ ବେଳେ ୭ ରନ୍ ସଂଗ୍ରହ କରି ବୋଲିଂରେ ୧ ୱିକେଟ୍ ନେଇଥିଲେ। ତେବେ ଏହା ପରେ ମଧ୍ୟ ରାଜସ୍ଥାନ ରୟାଲ୍ସ ତାଙ୍କ ଉପରେ ଏକ ବଡ ବିଡ୍ କରିଛି। ବର୍ତ୍ତମାନ ଦେଖିବାର ବିଷୟ ଯେ, ପାୱେଲ ରାଜସ୍ଥାନ ପାଇଁ କେତେ ସଫଳତା ଆଣି ଦେଉଛନ୍ତି ।