ଭୁବନେଶ୍ୱର (ଆମ ନ୍ୟୁଜ୍): ବଦଳିଲେ ବିଧାନସଭାର ବିରୋଧୀ ଦଳ ନେତା । ପ୍ରଦୀପ୍ତ ନାଏକଙ୍କ ସ୍ଥାନ ନେଲେ ଜୟନାରାୟଣ ମିଶ୍ର । ବିଧାନସଭାରେ ଏବେ ପୁଣି ସକ୍ରିୟ ହେବ ବିରୋଧୀ ଦଳର ସ୍ୱର । ସମ୍ବଲପୁର ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର ଆଜି ବିରୋଧୀ ଦଳର ନେତା ହୋଇଛନ୍ତି । ଏ ନେଇ ଶନିବାର ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଏହାର ଘୋଷଣା କରିଛନ୍ତି ରାଜ୍ୟ ବିଜେପି ସହ ପ୍ରଭାରୀ । ପ୍ରଦୀପ୍ତ ନାଏକ ଦୀର୍ଘ ଦିନ ହେବ ଅସୁସ୍ଥ ଥାଇ ଚିକିତ୍ସାଧୀନ ଅଛନ୍ତି। ଯେଉଁଥିପାଇଁ ତାଙ୍କ ସ୍ଥାନ ନେଇଛନ୍ତି ଜୟନାରାୟଣ ମିଶ୍ର ।
ବିରୋଧୀ ଦଳ ନେତା ଘୋଷଣା ପରେ ଜୟ ନାରାୟଣ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି, ଦଳ ମୋ ଉପରେ ଭରସା ରଖି ଯେଉଁ ଗୁରୁଦାୟିତ୍ଵ ଦେଇଛି ତାକୁ ତୁଲାଇବାକୁ ଚେଷ୍ଟା କରିବି। ଗୃହରେ ଗଠନମୂଳକ ବିରୋଧୀ ଦଳ ଭାବେ କାମ କରିବୁ। ମୋହନ ମାଝୀ ପବ୍ଲିକ ଆକାଉଣ୍ଟସ କମିଟି କଥା ବୁଝିବେ ବୋଲି ସେ କହିଛନ୍ତି। ପ୍ରଦୀପ୍ତ ନାଏକ ଅସୁସ୍ଥ ହେବା ପରେ ସେ ଲଗାତର ଭାବେ ବିଧାନସଭାରେ ଅନୁପସ୍ଥିତ ରହୁଥିଲେ । ତେଣୁ ବିରୋଧୀ ଦଳର ଆଭିମୁଖ୍ୟ ବିଧାନସଭାରେ ଦୃଢ ହୋଇପାରୁନଥିଲା । କହିବାକୁ ଗଲେ କଂଗ୍ରେସ ଏକପ୍ରକାର ବିରୋଧୀ ଦଳର ଭୁମିକା ନେଉଥିଲା । ହେଲେ ଏବେ ଜୟ ନାରାୟଣ ମିଶ୍ର ନୂଆ ବିରୋଧୀ ଦଳର ନେତା ହୋଇଛନ୍ତି ।