ମୁମ୍ବାଇ (ଆମ ଟିଭି): ସଲମାନ ଖାନଙ୍କୁ ବନ୍ଧୁକ ରଖିବାକୁ ଲାଇସେନ୍ସ ମିଳିଛି । ଏବେ ସେ ପାଖରେ ବନ୍ଧୁକ ରଖିପାରିବେ । ଆତ୍ମରକ୍ଷା ପାଇଁ ବଲିଉଡ଼ ଅଭିନେତା ସଲମାନ ଖାନଙ୍କୁ ଅସ୍ତ୍ର ରଖିବା ପାଇଁ ଲାଇସେନ୍ସ ପ୍ରଦାନ କରିଛି। ହତ୍ୟା ଧମକ ମିଳିବା ପରେ ସଲମାନ ଜୁଲାଇ ୨୨ ତାରିଖରେ ମୁମ୍ବଇ ପୁଲିସ କମିଶନର ବିବେକ ଫନସାଲକରଙ୍କୁ ଭେଟି ଆତ୍ମରକ୍ଷା ଉଦ୍ଦେଶ୍ୟରେ ଅସ୍ତ୍ର ରଖିବା ପାଇଁ ଲାଇସେନ୍ସ ମାଗିଥିଲେ ଏବଂ ଏବେ ତାଙ୍କୁ ଆର୍ମସ୍ ଲାଇସେନ୍ସ ଦିଆଯାଇଥିବା ସୂଚନା ମିଳିଛି। କେବଳ ଏତିକି ନୁହେଁ ଅଭିନେତା ନିଜ ସୁରକ୍ଷା ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ ମଧ୍ୟ କରିଛନ୍ତି।
ସୂଚନାଯୋଗ୍ୟ, ମେ ୨୯ ତାରିଖରେ ପଞ୍ଜାବର ମନସା ନିକଟରେ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି ମାରି ହତ୍ୟା କରାଯିବା ପରେ ପରେ ଅଭିନେତା ସଲମାନ ଏବଂ ତାଙ୍କ ବାପାଙ୍କୁ ମଧ୍ୟ ହତ୍ୟା ଧମକ ଦିଆଯାଇଥିଲା। ତାଙ୍କ ଅବସ୍ଥା ମଧ୍ୟ ମୁସେୱାଲାଙ୍କ ଭଳି ହେବ ବୋଲି ପତ୍ର ମାଧ୍ୟମରେ ଧମକ ଦିଆଯାଇଥିଲା। ସଲମାନଙ୍କ ନିକଟକୁ ଆସିଥିବା ଲରେନ୍ସ ବିଷ୍ଣୋଇଙ୍କ ହତ୍ୟା ଧମକ ପତ୍ର ୧୯୯୮ ମସିହାର କୃଷ୍ଣସାର ମୃଗ ଶିକାର ଘଟଣା ସହିତ ସମ୍ପୃକ୍ତ। ଏହି ମାମଲାରେ ସଲମାନ ଅନ୍ୟତମ ଅଭିଯୁକ୍ତ ଥିଲେ। ହତ୍ୟା ଧମକ ମିଳିବା ପରେ ସଲମାନଙ୍କ ସୁରକ୍ଷା ବଢାଇ ଦିଆଯାଇଥିଲା।