ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟକୁ ନେଇ ଦାଏର ହୋଇଥିବା ମାନହାନି ମାମଲାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଚାଲିଥିବା ଟ୍ରୋଲ୍ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇଛନ୍ତି । ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ଅପରେଶ କୁମାର ସିଂଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁଯାୟୀ, ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ନୋଟିସ୍ ଜାରି କରିବା ସହ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ମାମଲା ୨୦୧୮ ମସିହାରେ ରାଫେଲ୍ ଯୁଦ୍ଧବିମାନ ଚୁକ୍ତିକୁ ନେଇ ରାହୁଲ ଗାନ୍ଧୀଙ୍କ କଥିତ ମନ୍ତବ୍ୟ ସହ ଜଡ଼ିତ । ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ କଥିତ ଭାବେ ‘କମାଣ୍ଡର-ଇନ୍-ଥିଫ୍’ ଏବଂ ‘ଚୋରଙ୍କ ସର୍ଦ୍ଦାର’ ଭଳି ଶବ୍ଦ ବ୍ୟବହାର କରିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ, ମାନହାନି ମାମଲାର ନିମ୍ନ ଅଦାଲତରେ ଶୁଣାଣି ସ୍ଥଗିତ ରହିବ ।
ଏହାରି ମଧ୍ୟରେ, ଦିଲ୍ଲୀରେ ଭୋଟ୍ ଚୋରି ଏବଂ SIR ବିରୋଧରେ ‘ମାର୍ଚ୍ଚ ଫର୍ ଡେମୋକ୍ରେସି’ ଆୟୋଜନ ହେବାର ଗୋଟିଏ ଦିନ ପରେ ରାହୁଲ ଗାନ୍ଧୀ ଆଜି INDIA ବ୍ଲକ୍ର ସାଂସଦ, ସିଭିଲ୍ ସୋସାଇଟିର ପ୍ରତିନିଧି ଏବଂ ଛାତ୍ର ସଂଗଠନଗୁଡ଼ିକୁ ତାଙ୍କ ସରକାରୀ ବାସଭବନକୁ ଜଳଖିଆ ପାଇଁ ନିମନ୍ତ୍ରଣ କରିଛନ୍ତି ।
ସେହିପରି, ସୋମବାର ରାହୁଲ ଗାନ୍ଧୀ INDIA ବ୍ଲକ୍ର ନେତାମାନଙ୍କ ସହ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପଦଯାତ୍ରା କରିଥିଲେ ଏବଂ ସନ୍ଧ୍ୟାରେ SIR ବିରୋଧରେ ଆବେଦନ ଦାଖଲ କରିଥିଲେ। ଯାହା ଖୁବ୍ ଚର୍ଚ୍ଚା ଧରିଥିଲା । ରାହୁଲ ଗାନ୍ଧୀଙ୍କ ଆଇନଗତ ଟିମ୍ ସୁପ୍ରିମକୋର୍ଟରେ ପହଞ୍ଚି ଆବେଦନ ଦାଖଲ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ, INDIA ବ୍ଲକ୍ର ଏହି ଆବେଦନ ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇପାରିନଥିଲା । ଏଥିରେ ୧୪ଟି ତ୍ରୁଟି ଥିବା ଜଣାପଡ଼ିଥିଲା ।