ସୋରେନ୍ଙ୍କ ଜାମିନ ବିରୋଧରେ ଇଡି ଆବେଦନ ସୁପ୍ରିମ୍କୋର୍ଟରେ ଖାରଜ
ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ବାରା ଗିରଫ ହୋଇଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏହି ଜାମିନ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ହାଇକୋର୍ଟଙ୍କ ରାୟ ‘ଅତ୍ୟନ୍ତ ଯୁ୍କ୍ତିସଂଗତ’ ଦର୍ଶାଇ ଇଡିର ଆବେଦନକୁ ଖାରଜ କରିଦେଇଛନ୍ତି।
ଜୁନ୍ ୨୮ ତାରିଖରେ ଝାଡ଼ଖଣ୍ଡ ହାଇକୋର୍ଟ ହେମନ୍ତ ସୋରେନ୍ଙ୍କୁ ଜାମିନ ପ୍ରଦାନ କରିଥିଲେ। ଏହି ସମୟରେ, ‘ପ୍ରଥମ ଚରଣରେ ହେମନ୍ତ ସୋରେନ୍ ବେଆଇନ ଟଙ୍କା ଠୁଳ ମାମଲାରେ ଦୋଷୀ ନୁହନ୍ତି’ ବୋଲି ହାଇକୋର୍ଟ ରାୟରେ ଦର୍ଶାଇଥିଲେ। ହାଇକୋର୍ଟଙ୍କ ଜାମିନ ବିରୋଧରେ ଇଡି ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରିଥିଲା। ଆଜି ସୁପ୍ରିମକୋର୍ଟ ବିଚାରପତି ବିଆର୍ ଗଭାଇ ଓ ବିଚାରପତି କେଭି ବିଶ୍ବନାଥନ୍ଙ୍କୁ ନେଇ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଥିଲେ। ଅତିରିକ୍ତ ସଲିସିଟର ଜେନେରାଲ୍ (ଏଏସ୍ଜି) ଏସ୍ଭି ରାଜୁ ଇଡି ପକ୍ଷରୁ ମାମଲା ପରିଚାଳନା କରିଥିଲେ। ହାଇକୋର୍ଟଙ୍କ ରାୟ ଯଥାର୍ଥ ନୁହେଁ ବୋଲି ସେ ଯୁକ୍ତି କରିଥିଲେ। ଏଏସ୍ଜି କହିଥିଲେ ଯେ, ଇଡି ବେଆଇନ ଟଙ୍କା ଠୁଳ ଆଇନ(ପିଏମ୍ଏଲ୍ଏ)ର ଦଫା ୫୦ ଅନୁସାରେ ଲିପିବଦ୍ଧ କରାଯାଇଥିବା
ସାକ୍ଷୀଙ୍କ ବୟାନକୁ ବିଶ୍ବାସକୁ ନେଇନାହାନ୍ତି। ଏଥିରେ ଖଣ୍ଡପୀଠ କହିଥିଲେ, ତାଙ୍କ ଦୃଷ୍ଟିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅତ୍ୟନ୍ତ ଯୁକ୍ତି ସଙ୍ଗତ। କାରଣ ଇଡି ନିଜର ଅଭିଯୋଗରେ ପିଏମ୍ଏଲ୍ ଆଇନରେ ଗିରଫର ଯଥାର୍ଥ କାରଣ ଦର୍ଶାଇନାହାନ୍ତି। ଏଏସ୍ଜି ଯୁକ୍ତିକୁ ଆଗକୁ ବଢ଼ାଇବାକୁ ଚାହିଁଥିଲେ, କିନ୍ତୁ ଖଣ୍ଡପୀଠ ଏଏସ୍ଜିଙ୍କୁ ଏଥିରୁ ବାରଣ କରି ସତର୍କ କରିଥିଲେ। ଖଣ୍ଡପୀଠ କହିଥିଲେ, ଏହାଠାରୁ ଅଧିକ କୌଣସି ଅନୁଶୀଳନ କରିବାକୁ ସେମାନେ ଚାହାନ୍ତିନାହିଁ। ଯଦି ସେମାନେ କିଛି ଅନୁଶୀଳନ କରିବେ ତେବେ ତୁମେ (ଇଡି) ଅସୁବିଧାରେ ପଡ଼ିବ। ହାଇକୋର୍ଟ ବିଚାରପତି ଯଥାର୍ଥ ରାୟ ଦେଇଛନ୍ତି। ସୂଚନାଯୋଗ୍ୟ ବେନାମି ଭାବେ ୮.୫ ଏକର ଜମି କିଣି ନିଜ ଅକ୍ତିଆରରେ ରଖିବା ମାମଲାରେ ଇଡି ଚଳିତ ବର୍ଷ ଜାନୁଆରି ୩୧ ତାରିଖରେ ହେମନ୍ତ ସୋରେନ୍ଙ୍କୁ ଗିରଫ କରିଥିଲା।