ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଯାଞ୍ଚ, ଚିଠି ଲେଖି ଶ୍ରୀମନ୍ଦିର ପ୍ରଶାସନକୁ ଅନୁମତି ମାଗିଲା ଏଏସଆଇ
ପୁରୀ(ଆମ ଟିଭି): ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ହେବ ଯାଞ୍ଚ। ଚିଠି ଲେଖି ଶ୍ରୀମନ୍ଦିର ପ୍ରଶାସନକୁ ଅନୁମତି ମାଗିଛି ଏଏସଆଇ। ଗତ ୮ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପାଖକୁ ଚିଠି ଲେଖି ଭାରତୀୟ ପ୍ରତ୍ନତାତ୍ୱିକ ସର୍ଭେକ୍ଷଣ ସଂସ୍ଥା ଭିତର ରତ୍ନଭଣ୍ଡାରର ଯାଞ୍ଚ ପାଇଁ ଅନୁମତି ମାଗିଥିବା ଜଣାପଡିଛି । ବିପଦପୂର୍ଣ୍ଣ ଅବସ୍ଥାରେ ଭିତର ରତ୍ନଭଣ୍ଡାର ଥିବାରୁ ଖୋଲିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି । ପୂର୍ବରୁ ବାହାର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯାଇଥିବାରୁ ଏବେ ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଚିଠି କରାଯାଇଛି । ଶ୍ରୀମନ୍ଦିର ପ୍ରଶାସନର ଜବାବ୍ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସୂଚନା ମିଳିଛି ।
୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା। ତେବେ ଚାବି ହଜିଥିବା ଯୋଗୁ ଭିତର ରତ୍ନଭଣ୍ଡାର ଖୋଲା ଯାଇପାରିନଥିଲା। ପ୍ଲାଷ୍ଟର ଖରାପ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଭିତର ରତ୍ନଭଣ୍ଡାର ଖୋଲିବାକୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ASI ସୁପରିଟେଣ୍ଡେଣ୍ଟ ଚିଠିରେ ଉଲ୍ଲେଖ କରିଛନ୍ତି। ରାଜ୍ୟ ଆଇନ୍ ବିଭାଗ ଏବଂ ASI ଡିଜିଙ୍କୁ ମଧ୍ୟ ଚିଠି ଲେଖାଯାଇଛି।