ଆସନ୍ତାକାଲି ନିତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, କେଉଁ ଦଳକୁ କେତେ ମିଳିବ ମନ୍ତ୍ରୀ ପଦ ଜାଣନ୍ତୁ…
ପାଟନା(ଆମ ଟିଭି): ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୬ ରେ ବିହାରରେ ନୀତୀଶ କୁମାରଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ସୂଚନା ଅନୁସାରେ ମଙ୍ଗଳବାର ୩୧ ଜଣ ମନ୍ତ୍ରୀ ଶପଥ ନେବେ। ଏମାନଙ୍କ ମଧ୍ୟରେ ରହିଛନ୍ତି, କଂଗ୍ରେସର ୨, ଆରଜେଡି ୧୬, ଜେଡିୟୁ ୧୧, ହମର ଜଣେ ଓ ଆଉ ଜଣେ ସ୍ୱାଧୀନ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ। ରାଜଭବନରେ ଦିନ ୧୧ ଟା ୩୦ ମିନିଟରେ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହେବ। ସୂଚନା ଥାଉକି, ଏହି ସରକାରରେ ଆରଜେଡିର ଅଧିକ ୭୯ ଜଣ ବିଧାୟକ ରହିଛନ୍ତି। ସେହିପରି ଦ୍ୱିତୀୟ ସ୍ଥାନରେ ଜେଡିୟୁର ବିଧାୟକ ସଂଖ୍ୟା ରହିଛି।
ଅନ୍ୟପଟେ କଂଗ୍ରେସର ବରିଷ୍ଠ ନେତା ତଥା ବିହାର ପ୍ରଭାରୀ ଭକ୍ତଚରଣ ଦାସ ରବିବାର କହିଥିଲେ ଯେ କଂଗ୍ରେସକୁ ତିନୋଟି ମନ୍ତ୍ରୀ ପଦ ମିଳିବ। କଂଗ୍ରେସର ଦୁଇ ଜଣ ବିଧାୟକ ୧୬ ଅଗଷ୍ଟରେ ମନ୍ତ୍ରୀ ପଦ ଭାବେ ଶପଥ ନେବେ। ଯେତେବେଳେକି, ଆଉ ଜଣେ ବିଧାୟକ ଆଗାମୀ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ। ବାମପନ୍ଥୀ ଦଳ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ରାଜ୍ୟରେ ନୂଆ ସରକାରଙ୍କୁ ବାହାରୁ ସମର୍ଥନ ଦେବ ବୋଲି ଘୋଷଣା କରିଛି। କମ୍ୟୁନିଷ୍ଟ ପାର୍ଟି ବର୍ତ୍ତମାନ ୧୨ ଜଣ ବିଧାୟକ ରହିଛନ୍ତି।