ନୂଆଦିଲ୍ଲୀ (ଆମ ଟିଭି): ଆଫଗାନିସ୍ତାନ-ତାଜିକିସ୍ତାନ ସୀମା ଅଞ୍ଚଳରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପ ଝଟକା ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ ଅନୁଭୂତ ହୋଇଛି । ଭୂକମ୍ପର କେନ୍ଦସ୍ଥଳ ୮୬ କିମି ଗଭୀରତାରେ ଥିଲା । ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକମାନେ ଭୟଭୀତ ହୋଇ ଘରୁ ଦୌଡିଥିଲେ ।
ଭୂକମ୍ପ ଝଟକା ୧୨.୨୦ ମିନିଟରେ ଅନୁଭୂତ ହୋଇଥିଲା । ତେକେ ଭୂକମ୍ପରେ କ୍ଷୟକ୍ଷତି କିଛି ଆକଳନ କରାଯାଇନାହିଁ । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓସାଇନ୍ସ ମୁତାବକ, ଗଭୀରତା ଅଧିକ ହେବା କାରଣରୁ ଭୂକମ୍ପ ଝଟକା ଦୂର ଦୂର ଯାଏଁ ଅନୁଭୂତ ହୋଇଥିଲା ।
ଗତକାଲି ରାତିରେ ମିଆଁମାରର ଅନେକ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ରାତି ୧୧.୦୪ ମିନିଟରେ ପ୍ରଥମ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୩.୬ ମାପ କରାଯାଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିଲୋମିଟର ତଳେ ଥିଲା । ଶୁକ୍ରବାର ରାତି ୧୧.୩୧ ମିନିଟରେ ମିଆଁମାରରେ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା । ଏନସିଏସ କହିଛି ଯେ, ଏହି ସମୟରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ମାପ କରାଯାଇଥିଲା । ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୩୦ କିଲୋମିଟର ତଳେ ରହିଥିଲା ।
ରବିବାର ତାଜିକିସ୍ତାନରେ ଆଉ ଦୁଇଟି ଭୂମିକମ୍ପ ରେକର୍ଡ କରାଯାଇଥିଲା । ପ୍ରଥମ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା । ଦ୍ୱିତୀୟ ଭୂମିକମ୍ପର ତୀବ୍ରତା ୩.୯ ରହିଥିଲା । ଦୁଇଟି ଭୂମିକମ୍ପ ଭୂମିରୁ ୧୦ କିଲୋମିଟର ତଳେ ହୋଇଥିଲା ।
ସୂଚନାଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ଏସିଆର ଅନେକ ଦେଶରେ ବାରମ୍ବାର ଭୂକମ୍ପ ଝଟକା ଅନୁଭୂତ ହେଉଛି । ୨୮ ମାର୍ଚ୍ଚରେ ମିଆଁମାରରେ ଏକ ବଡ଼ ଭୂମିକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥିଲା । ତାଜିକିସ୍ତାନରେ ୬.୧ ତୀବ୍ରତାର ଭୂକମ୍ପ ଏବଂ ମିଆଁମାରରେ ୫.୯ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।