ନୋଏଡା (ଆମ ଟିଭି): ଆଖି ପିଛୁଳାକେ ମାଟିରେ ମିଶିଲା ନଏଡାର ଟୁଇନ ଟାୱାର। ଉପରକୁ ଆଖିପାଉ ନଥିବା ନୋଏଡାର ବହୁର୍ଚ୍ଚିତ ସୁପରଟେକ୍ ଟ୍ୱିନ୍ ଟାୱାରକୁ ଆଜି ଭଙ୍ଗାଯିବା ପରେ ମୁହଁ ଖୋଲିଛନ୍ତି ସୁପରଟେକର ଚେୟାରମ୍ୟାନ୍ ଆର.କେ ଆରୋରା । ଏକ ବିବୃତ୍ତି ଜାରି କରି ସେ କହିଛନ୍ତି ଯେ, ବିଲଡିଂ ପ୍ଲାନରେ କୌଣସି ଏପଟସେପଟ ହୋଇ ନାହିଁ। ନୋଏଡା କର୍ତ୍ତୃପକ୍ଷଙ୍କୁ ସମସ୍ତ ପ୍ରାପ୍ୟ ଦେବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
ଏହି ଦୁଇଟି ଟାୱାର ପାଇଁ ନୋଏଡା କର୍ତ୍ତୃପକ୍ଷ ଜମି ଦେଇଥିଲେ। ସେକ୍ଟର ୯୩-ଏରେ ନିର୍ମାଣ ହୋଇଥିବା ଟ୍ୱିନ୍ ଟା଼ୱାର୍ସ ଆପେକ୍ସ ଏବଂସିୟାନେ ବିଲଡଂ ଦୁଇଟି ଇମେରାଲଡ୍ କୋର୍ଟ ପ୍ରୋଜେକ୍ଟର ଅଂଶବିଶେଷ। ୨୦୦୯ରେ ନୋଏଡା କର୍ତ୍ତୃପକ୍ଷ ଏହି ଦୁଇଟି ଟାୱାର ପାଇଁ ବିଲଡିଂ ପ୍ଲାନ ମଞ୍ଜୁର କରିଥିଲେ। । ପରେ ରାଜ୍ୟ ସରକାରଙ୍କ ବିଧିବଦ୍ଧ ନିୟମ ଅନୁଯାୟୀ ଏହି ଟାୱାର ନିର୍ମାଣ ହୋଇଥିଲା ବୋଲି ସେ କହିଛନ୍ତି।
ଟାୱାର ଦୁଇଟିର ନିର୍ମାଣ ସୁପ୍ରିମକୋର୍ଟଙ୍କୁ ଅନୁପଯୁକ୍ତ ଲାଗିଥିଲା। ତେଣୁ ଟାୱାର ଦୁଇଟିକୁ ଭାଙ୍ଗିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆରୋରା କହିଛନ୍ତି ଯେ, ଆମେ ସର୍ବୋଚ୍ଚ ନ୍ୟାୟାଳୟକୁ ସମ୍ମାନ ଜଣାଉଛୁ ଏବଂ ଅଦାଲତଙ୍କ ନିର୍ଦ୍ଦେଶ ପାଳନ କରୁଛୁ।