ମୁମ୍ବାଇ (ଆମ ଟିଭି): ପରଲୋକରେ ବିଶିଷ୍ଟ ଶିଳ୍ପପତି ସାଇରସ୍ ମିସ୍ତ୍ରୀ। ମୁମ୍ବାଇର ପଲଘର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଟାଟାସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ପାଲଘର ପୁଲିସର ସୂଚନାନୁସାରେ, ମିସ୍ତ୍ରୀ ଅହମ୍ମଦାବାଦରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିବା ବେଳେ ତାଙ୍କ କାର ଡିଭାଇଡରକୁ ଧକ୍କା ଦେଇଥିଲା। କାରରେ ଚାରି ଜଣ ଲୋକ ଥିଲେ। ମିସ୍ତ୍ରୀଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।
ଟ୍ୱିଟରରେ ଜାତୀୟତାବାଦୀ କଂଗ୍ରେସ ପାର୍ଟିର ସାଂସଦ ସୁପ୍ରିୟା ସୁଲେ କହିଛନ୍ତି, ଅତ୍ୟନ୍ତ ଦୁଖଦଃ ଖବର। ମୋର ଭାଇ ସାଇରସ୍ ମିସ୍ତ୍ରୀଙ୍କର ଦେହାନ୍ତ ହୋଇଛି, ଏହାକୁ ବିଶ୍ୱାସ କରିହେଉନି।
ମିସ୍ତ୍ରୀଙ୍କ ଦେହାନ୍ତରେ ଆରପିଜି ଏଣ୍ଟରପ୍ରାଇଜେସ୍ ଅଧ୍ୟକ୍ଷ ହର୍ଷ ଗୋଏଙ୍କା ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ ଟ୍ୱିଟ କରିଛନ୍ତି, ଦୁର୍ଘଟଣାରେ ସାଇରସ୍ ମିସ୍ତ୍ରୀଙ୍କ ଦେହାନ୍ତ ହେବାର ଖବର ଶୁଣି ଅତ୍ୟନ୍ତ ଦୁଃଖିତ। ସେ ଜଣେ ଭଦ୍ରଲୋକ ଥିଲେ। ସେ ସଫଳ ଭାବରେ ଟାଟା ଗୋଷ୍ଠୀର ନେତୃତ୍ୱ ନେଇଥିଲେ।