ପୁରୀ (ଆମ ଟିଭି): ପୁରୀରେ ଆରମ୍ଭ ହୋଇଛି ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିର । ଏହି ଶିବିରରେ ଯୋଗ ଦେଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ବିଜେଡିକୁ ପୁରୀ ସମୁଦ୍ର ଭିତରକୁ ପେଲିଦେବୁ। ସେ ଆମେ କେନ୍ଦ୍ରରେ ଆସିଗଲୁଣି। ଆଉଥରେ ମୋଦି ଜୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ। ତେଣୁ ଏବେ ଆମର ବଦଲା ନେବାର ସମୟ ଆସିଛି। ବିଚାରଧାରା ଆଧାରରେ ଆମେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ବିଜେଡି ସହ ୯ ବର୍ଷ ଶାସନରେ ଥିଲୁ। ଆମେ ବିଜେଡି ସହ ମିଶି ଯେଉଁ ମିଳିତ ସରକାର କରିଥିଲୁ, ସେମାନେ ଡୁବି ଯାଉଥିବା ବେଳେ ୧୯୯୭-୯୮ରେ ଶାସନରେ ବସାଇଥିଲୁ। ତାଙ୍କୁ ପୁଣି ଥରେ ପୁରୀ ସମୁଦ୍ରକୁ ପେଲି ଦେବୁ। ଶ୍ରୀଓରାମଙ୍କ ଏଭଳି ପ୍ରତିକ୍ରିୟା ଏବେ ରାଜନୈତିକ ମହଲାରେ ଆଲୋଚନାର ବିଷୟ ହୋଇଛି।
ଶାହଙ୍କ ମିଶନ ୧୨୦ ପ୍ଳସ୍ ହାସଲ ପାଇଁ ବିଜେପି ଆରମ୍ଭ କରିଛି ଗ୍ରାଉଣ୍ଡ ଓ୍ୱାର୍କ। ଗତ ସପ୍ତାହରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର ପରେ ଆଜିଠୁ ପୁରୀରେ ଆରମ୍ଭ ହୋଇଛି ତିନି ଦିନିଆ ପ୍ରଶିକ୍ଷିଣ ଶିବିର। ପ୍ରଥମ ଦିନରେ ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, କାର୍ୟ୍ୟକାରିଣୀ ସଦସ୍ୟଙ୍କ ସହ ସବୁ ଜିଲ୍ଲା ସଭାପତି, ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ ଦଳକୁ ଜିତାଇବାକୁ ହେଲେ କରିବାକୁ ଥିବା କାମ ବିଷୟରେ ଶିକ୍ଷା ନେଇଛନ୍ତି। ସେମାନଙ୍କ କ୍ଲାସ୍ ନେଇଛନ୍ତି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସଭାପତି ସମୀର ମହାନ୍ତି, ସାଂସଦ ପ୍ରତାପ ଷଡଙ୍ଗୀ ଓ ଜାତୀୟ ପ୍ରଶିକ୍ଷଣ ଇନଚାର୍ଜ ହେମନ୍ତ ଗୋସ୍ୱାମୀ। ସଂଗଠନ ସଜାଡିବାକୁ ଆରମ୍ଭ ହୋଇଛି ପ୍ରୟାସ। ସୋସିଆଲ ମିଡିଆ ଷ୍ଟ୍ରାଟେଜିକୁ ଗୁରୁତ୍ୱ ଦେଉଛି ଦଳ।